Unknown

 

 

 

 

 

 

 

 

 

ଶଶିପ୍ରଭା

ଚିନ୍ତାମଣି ମହାନ୍ତି

 

ପ୍ରୀତ୍ୟୁପହାର

 

ସ୍ୱଦେଶବତ୍ସଳ, ନୀରବ କର୍ମଯୋଗୀ, ସତ୍‍ସାହିତ୍ୟାନୁରାଗୀ

ଶ୍ରୀଯୁକ୍ତ ମାନଧାତା ଗୋରାଚାନ୍ଦ ପଟ୍ଟନାୟକ ବି, ଏଲ,

 

ମହୋଦୟ

ଅତୁଳଶ୍ରଦ୍ଧାସ୍ପଦେଷୁ

ପ୍ରାଣାଧିକ ଭାଇ,

ଆପଣ ଏ ନଗଣ୍ୟ ପ୍ରତି ଯେଉଁ ସ୍ନେହଭକ୍ତି-ସୌଜନ୍ୟଶଂସୀ ଶିଷ୍ଟାଚାର ପ୍ରଦର୍ଶନ କରନ୍ତି, ସେଥିରେ ମୁଁ ଚିରଲଜ୍ଜିତ ଏବଂ କୃତଜ୍ଞ । ଇଚ୍ଛାପୁର ପ୍ରବେଶର ଅବ୍ୟବହିତ ପରେ ଆପଣ ଏ ଦୀନ କୁଟୀରରେ ପଦାର୍ପଣ କରି ମୋର ସୁଖସୁବିଧାର ତତ୍ତ୍ୱ ଗ୍ରହଣ କରିଥାନ୍ତି । ସେ ଦିନ ପୁଣି କହିଥିଲେ-- “ଆପଣଙ୍କ ଅଭାବକୁ ଜାତୀୟ ଅଭାବ ବୋଲି ଜ୍ଞାନ କରିବାକୁ ହେବ ।” ଆପଣଙ୍କର ଉକ୍ତି ମୋର ଯୋଗ୍ୟତାକୁ ବଳିଯାଇଥିଲେ ସୁଦ୍ଧା ତାହା ମଧ୍ୟରେ କି ଗଭୀର ସହାନୁଭୂତି, କି ମର୍ମସ୍ପର୍ଶୀ ଏକପ୍ରାଣତା, କି ଜୀବନ୍ତ ଉତ୍ସାହ ନିହିତ ଅଛି, ତାହା ବର୍ଣ୍ଣନା କରିବାକୁ ମୋର ଦୁର୍ବଳ ଲେଖନୀ ଅକ୍ଷମ । ଆପଣଙ୍କ କର୍ମଜୀବନ ବ୍ୟକ୍ତିଗତ ନୁହେଁ, ତାହା ଜାତୀୟ ସମ୍ପଦ । ଖଣ୍ଡିଏ ଭଲ ପୁସ୍ତକ ଦେଖିଲେ ତାହା କ୍ରୟ କରି ସ୍ୱୟଂ ମତେ ଆଣି ଦେଇଯାଆନ୍ତି । ଏହି ସହାନୁଭୂତିଟିକ ଯେ କେଡ଼େ ଉପାଦେୟ, ତାହା ମୋର ମନ ଜାଣେ । ଦଶବର୍ଷ ପୂର୍ବରୁ ମୁଁ ଏହିପରି ସହାନୁଭୂତି କାହାରିଠାରୁ ପାଇଥିଲେ ମୋର କର୍ତ୍ତବ୍ୟ ଏଡ଼େ ସଂକୀର୍ଣ୍ଣ ସୀମାରେ ଆବଦ୍ଧ ନ ଥାନ୍ତା ।

 

ଆପଣଙ୍କର ଏହି ସମସ୍ତ ମହୋପକାରର ପବିତ୍ର ସ୍ମୃତି ଚିର ଜାଗରିତ ରଖିବା ଅଭିପ୍ରାୟରେ “ଶଶିପ୍ରଭା” ପୁସ୍ତିକାଖଣ୍ଡି ଆପଣଙ୍କ ଦେଶହିତନିରତ ପବିତ୍ର କର - କମଳରେ ପ୍ରୀତ୍ୟୁପହାର ଅର୍ପଣ କଲି । ଗ୍ରହଣ ବିଷୟରେ ମୁଁ ନିର୍ଭରସ ନୁହେଁ, ପ୍ରତ୍ୟୁତ ନିଃସନ୍ଦିଗ୍‍ଧ ।      

 

ଇଚ୍ଛାପୁର

ଆପଣଙ୍କର

୨୦। ୧୧। ୧୫

ସ୍ନେହ-ସୌଜନ୍ୟ-କ୍ରୀତ

 

ଶ୍ରୀ ଚିନ୍ତାମଣି ମହାନ୍ତି

 

ନିବେଦନ

 

ଏହି ପୁସ୍ତକ ଖଣ୍ଡି ୧୮୯୭ ସାଲରେ ଆଂଶିକ ରଚିତ ହୋଇଥିଲା । ଏହା ପରେ ଅନେକ କାବ୍ୟ ଲିଖିତ ଏବଂ ପ୍ରକାଶିତ ହୋଇଅଛି । ମାତ୍ର ଏହା ଅବଧି ପାଣ୍ଡୁଲିପି ଆକାରରେ ଥିଲା । ୧୮୯୮ ସାଲରେ ଏହାର ରଚନା ସମ୍ପୂର୍ଣ୍ଣ ହେଲା । ତଥାପି କେତେ କାଳ ଗଡ଼ିଗଲା; ମାତ୍ର ଏହାର ଭାଗ୍ୟ ଖୋଲିଲା ନାହିଁ । ସ୍ଥାବରଜଙ୍ଗମ ଉଭୟର ଯେ ଭାଗ୍ୟ ଅଛି, ଏ ପୁସ୍ତକ ଖଣ୍ଡି ସେଥିର ଜୀବନ୍ତ ଦୃଷ୍ଟାନ୍ତ । କବିମହୋଦୟଙ୍କର ରଚନାର କ୍ରମବିକାଶ ଦେଖାଇବା ସକାଶେ ଏହାକୁ ଅପରିବର୍ତ୍ତିତ ଭାବରେ ମୁଁ ବର୍ତ୍ତମାନ ଦେଶଭକ୍ତ ମାନନୀୟ ଶ୍ରୀଯୁକ୍ତ ମାନଧାତା ଗୋରାଚାନ୍ଦ ପଟ୍ଟନାୟକ ବି, ଏ, ବି, ଏଲ ମହୋଦୟଙ୍କ ଆନୁକୂଲ୍ୟରେ ପ୍ରକାଶ କଲି । ଏହିପରି ପ୍ରଥମାବସ୍ଥାରେ ରଚିତ କେତେକ ପାଣ୍ଡୁଲିପି ଅଛି । ତାହା କ୍ରମଶଃ ପ୍ରକାଶ କରିବାକୁ ଯତ୍ନଶୀଳ ହେବି ।      

ଶ୍ରୀ ସୋମନାଥ ମହାନ୍ତି

 

ଶଶିପ୍ରଭା

ପ୍ରଥମ ସର୍ଗ

 

ଅସ୍ତଗିରି ତୁଙ୍ଗ            ଚଟୁଳ ଶିଖରେ

ଦିନାନ୍ତେ ଅସ୍ତ ଦିନେଶ,

ବିଜେ ସନ୍ଧ୍ୟାଦେବୀ            ପରିଗ୍ରହି ଏବେ

ଅସିତ ବିକଟ ବେଶ ।

ନେତ୍ର ନିମୀଳିଲା            ଶୋଭାଙ୍ଗୀ ନଳିନୀ

ବହି ଦୁଃଖ ଗୁରୁଭାର,

ଚିରକାଳ ଭବେ            ଅବିଚ୍ଛିନ୍ନ ସୁଖ

ଘଟିବ ଭାଗ୍ୟେ କାହାର ।

ସନ୍ଧ୍ୟା ଆଗମନ            ଦେଖି ବିହଙ୍ଗମେ

କୁଲାୟେ ଗଲେ ବହନ,

ଖଳ ଆଗମନ            ନିରେଖି ଯେସନ

ସ୍ୱସ୍ଥାନ ତେଜେ ସଜ୍ଜନ ।

ଉପବନେ ଫୁଟି            ବିବିଧ କୁସୁମ

ସୁରଭି କଲେ ବିସ୍ତାର,

ନୀରବ କର୍ମୀର            ଯଶ ଏହିରୂପେ

ବ୍ୟାପଇ ବିଶ୍ୱ ସଂସାର ।

ନିଶାଚର ପ୍ରାଣୀ            ଭ୍ରମିଲେ ଚୌଦିଗେ

ହୋଇ ଅତି ହୃଷ୍ଟମତି,

କୁଟିଳ ମିଳନେ            କୁଟିଳର ସିନା

ଉପୁଜେ ହୃଦେ ପୀରତି ।

ସୁରଭିତ ଶୀତ            ଧିର ସମୀରଣେ

ତୁଟିଲା ପ୍ରାଣିସନ୍ତାପ,

ଧର୍ମଜ୍ୟୋତି-ଜଳେ            ଧୋଇଯାଏ ଯଥା

ପାତକୀ ଶରୀରୁ ପାପ ।

ସୁବର୍ଣ୍ଣ-ତରଳ-            ତାରକାନିକର

କୋଟି କୋଟି ନଭେ ଉଦେ,

ସ୍ୱାର୍ଥହୀନ ଭାବ            ଫୁଟିଉଠିଛି କି

ବିଶ୍ୱ ହିତାକାଙ୍‍କ୍ଷୀ ହୃଦେ ।

ଚାହୁଁ ଚାହୁଁ ଆସି            ସ୍ଥାବର ଜଙ୍ଗମେ

ଘୋଡ଼ାଇଦେଲା ତିମିର,

ପଥାପଥ ଭେଦ            ଥାଏ ନାହିଁ ଯଥା

ଧରମଦ୍ରୋହୀ ପାପୀର ।

ଖିଳ ଭୂତଧାତ୍ରୀ            ଧରିତ୍ରୀ ସଭୟେ

ହେଲାକ କ୍ରମେ ନୀରବ,

କୁଳରେ କଳଙ୍କ--            କାଳିମା ଘୋଟିଲେ

ଯେସନ ଜ୍ଞାନୀ ମାନବ ।

ଦୀପ୍ତ କଲେ ମହୀ            କିଛିକ୍ଷଣେ ଉଇଁ

ତାରା-କୁମୁଦିନୀ-ବର,

ସୁପୁତ୍ର ଯେସନ            ସ୍ୱଗୁଣେ ସ୍ୱକୁଳେ

କରେ ସମୁଜ୍ଜ୍ୱଳତର ।

ଶୋକ-ବିସ୍ମୃତିରେ            ହସିଲା କୈରବ

ନିହାଉ ନଭେ ସ୍ୱପତି,

ଦୁଃଖ ଅନ୍ତେ ସୁଖ            ଆଣିଦିଏ ସିନା

ଏହି ପ୍ରକାରେ ନିୟତି ।

ନିଶାଚରଙ୍କର            ଘଟିଲା ଏ କାଳେ

ଉଦ୍ଦାମ ହର୍ଷେ ବିଷାଦ,

ସୁଖେ ପଛେ ଆସେ       ଅଲକ୍ଷ୍ୟରେ ଆହା

କେଡ଼େ ପ୍ରଖରେ ପ୍ରମାଦ ।

ଚନ୍ଦ୍ର ଅଧୋଦେଶେ            ରୁଚିରେ ବିରାଜେ

ସ୍ୱଚ୍ଛଳ ଧବଳ ଘନ,

ନିଜ ଶୋଭା ନିଜେ            ଦେଖେ କି ଚନ୍ଦ୍ରମା

ଅଗ୍ରତେ ଥୋଇ ଦର୍ପଣ ।

କେ ବର୍ଣ୍ଣି ପାରିବ            ଶରତ ରଜନୀ

ବିଚିତ୍ର ଶୋଭା ଭାରତୀ,

ବୃଷ୍ଟି ବାରିଧାରା            ଗଣିବାକୁ ଅଛି

ଜଗତେ କାହା ଶକତି

ଭ୍ରମିଲି ଏ କାଳେ            ଅମନ୍ଦଗାମିନୀ

ହୋଇ ଅତି ହୃଷ୍ଟମତି,

କୁଟିଳ ମିଳନେ            କୁଟିଳର ସିନା

ଉପୁଜେ ହୃଦେ ପୀରତି ।

ସୁରଭିତ ଶୀତ            ଧିର ସମୀରଣେ

ତୁଟିଲା ପ୍ରାଣିସନ୍ତାପ,

ଧର୍ମଜ୍ୟୋତି-ଜଳେ            ଧୋଇଯାଏ ଯଥା

ପାତକୀ ଶରୀରୁ ପାପ ।

ସୁବର୍ଣ୍ଣ-ତରଳ-            ତାରକାନିକର

କୋଟି କୋଟି ନଭେ ଉଦେ,

ସ୍ୱାର୍ଥହୀନ ଭାବ            ଫୁଟିଉଠିଛି କି

ବିଶ୍ୱ ହିତାକାଙ୍‍କ୍ଷୀ ହୃଦେ ।

ଚାହୁଁ ଚାହୁଁ ଆସି            ସ୍ଥାବର ଜଙ୍ଗମେ

ଘୋଡ଼ାଇଦେଲା ତିମିର,

ପଥାପଥ ଭେଦ            ଥାଏ ନାହିଁ ଯଥା

ଧରମଦ୍ରୋହୀ ପାପୀର ।

ଖିଳ ଭୂତଧାତ୍ରୀ            ଧରିତ୍ରୀ ସଭୟେ

ହେଲାକ କ୍ରମେ ନୀରବ,

କୁଳରେ କଳଙ୍କ            କାଳିମା ଘୋଟିଲେ

ଯେସନ ଜ୍ଞାନୀ ମାନବ ।

ଦୀପ୍ତ କଲେ ମହୀ            କିଛିକ୍ଷଣେ ଉଇଁ

ସାଳନ୍ଦୀ ତଟିନୀ ତଟେ,

ପବିତ୍ରତା ଗୁଣେ            କାଳିନ୍ଦୀ ଯାହାକୁ

କେବଳ ଉପମା ଖଟେ ।

କୁଟିଳ ଗତିରେ            ଚଟୁଳ-ହିଲ୍ଲୋଳା

ପ୍ରଧାବେ ଅତି ବେଗରେ,

ଶିଖୀ ଆକ୍ରମଣୁ            ବିମୁକ୍ତ ଫଣୀ କି

ପଳାଏ ବଙ୍କିମେ ଖରେ ।

ସ୍ୱଚ୍ଛତାରେ ଜିଣି            ମାର୍ଜିତ ମୁକୁର

ଦିଶେ ସୁନିର୍ମଳ ଜଳ,

ଦେବୋପମ ଶିଷ୍ଟ            ମାନବ ମାନସ

ଉପମା ତା’ର କେବଳ ।

ଜଳେ ନଭ ପ୍ରତି            ବିମ୍ବ ହରିନିଏ

ଶୋଭାରେ ନୟନ ମନ,

ସେ ଛବି ଦର୍ଶନେ            ଭାବୁକ ହୃଦୟେ

ଉପୁଜେ ଭାବି ଏସନ ।

ଜଳଦେବୀଙ୍କର            ସଭା-ସଦନ ବା

ରହିଛି ହୋଇ ସଜ୍ଜିତ,

ରସାତଳେ, ନୀଳା      ସ୍ତରଣେ ମଣ୍ଡିତ

ଚାରୁ ପୁଷ୍ପେ ସୁଶୋଭିତ ।

ରୌପ୍ୟପତ୍ରନିଭ            ସୁକାନ୍ତି ମୀନାଳି

କ୍ରୀଡ଼ନ୍ତି ନାନାଭଙ୍ଗୀରେ,

ପହଁରୁ ପହଁରୁ            ଡେଇଁ ଉଠୁଛନ୍ତି

ଚନ୍ଦ୍ରିକାଚର୍ଚ୍ଚିତ ନୀରେ ।

ଧୀରେ ସମୀରଣେ            ମୃଦୁ ମୃଦୁ ଦୋଳେ

କୁସୁମିତ କାଶପନ୍ତି,

ଉଡ଼ୁଛି କି ଅବା            ଜଳଦେବୀଙ୍କର

ବହୁ ଶ୍ୱେତ ବୈଜୟନ୍ତୀ ।

ଜ୍ୟୋତ୍ସା ବୋଳିହୋଇ       ପୁଳିନ ସୈକତ

ଧିକ୍କାରେ ମୁକ୍ତା ସୁଷମା,

ଶୁକ୍ତି ପଙ୍‍କ୍ତି ଶୋଭା-      ସମ୍ପଦକୁ ଏକା

ସଂସାରେ ସେହି ଉପମା ।

କାହିଁ ଚକ୍ରବାକ            ଚକ୍ରବାକୀ ଅବା

କରି ଜ୍ୟୋତ୍ସ୍ନାମୃତ ପାନ,

ବେନି ତୀରୁ ବେନି            ଦମ୍ପତି ବିରହେ

ଧରିଛନ୍ତି ଶୋକ ତାନ ।

ନୀରବେ ଅଭଙ୍ଗ            ଧ୍ୟାନ ଆଚରିଛି

କାହିଁବା ଅନ୍ଧାରୀ ବକ,

ପୁସ୍ତକରେ ଧ୍ୟାନ            ନିବେଶନ୍ତି ଯଥା

ସୁଶୀଳ ଶିଷ୍ଟ ବାଳକ ।

ତରଙ୍ଗିଣୀ ବକ୍ଷେ            ସୃଜେ ସମୀରଣ

ଫେନିଳ ତରଙ୍ଗ ଜାଳ,

ଦିଶେ ସେ ରୁଚିର            ଗୁନ୍ଥାହେଲା ପ୍ରାୟ

ଦିବ୍ୟଜ୍ୟୋତି ମୋତିମାଳ ।

ଚନ୍ଦ୍ର ପ୍ରତିବିମ୍ବ            ହୋଇଛି ତହିଁରେ

ଭାସ୍ୱର ହୀରାପଦକ,

ତାରାଏ ନର୍ତ୍ତିତ            ମଣିଦୀପ ପ୍ରାୟ

ଜଳୁଛନ୍ତି ଜକ ଜକ ।

ଗଣ୍ଡଶୈଳ ସମ            ନଦୀଗର୍ଭେ କାହିଁ

ବାଲିକୁଦ ଅଭିରାମ,

ସାୟାହ୍ନେ ନାବିକେ            ତରଣୀ ଖଟାଇ

ଭଜନ୍ତି ତହିଁ ବିଶ୍ରାମ ।

ଉଠଇ ନିଶୀଥେ            ସଘନେ ତାହାଙ୍କ

ଲଳିତ ଢମାଳୀ ସ୍ୱର,

ଖଞ୍ଜଣୀ ଧ୍ୱନି ସେ            ମଧୁର ସଙ୍ଗୀତେ

କରେ ସୁମଧୁରତର ।

ଅଗ୍ରେ ବିରାଜିତ            ବିଶାଳ ସୁନ୍ଦର

ବଟତରୁ ନଦୀତଟେ,

ତା ଦେଖି ଭାବୁକ            ମାନସ-ମନ୍ଦିରେ

ଏସନ ଭାବ ପ୍ରକଟେ ।

ଉପବିଷ୍ଟ କିବା            ଊର୍ଦ୍ଧ୍ୱ ବାହୁ ଯତି

ଆବରି ଅଙ୍ଗେ ବଳ୍କଳ,

ଦୀର୍ଘ ଜଟାଜୂଟ            ପରାଏ ଲମ୍ବିଛି

ଊର୍ଦ୍ଧ୍ୱରୁ ବହୁ ଓହଳ ।

ଚିତ୍ରାଙ୍ଗ କୁରାଙ୍ଗ            ପବିତ୍ର ଛାଲ କି

ଚନ୍ଦ୍ରିକା-ଚର୍ଚ୍ଚିତ ଛାୟା,

ନିର୍ଜ୍ଜନରେ ତପ            ସାଧନ୍ତି କି ବସି

ଉପେକ୍ଷି ସଂସାର ମାୟା ।

ମାହାଶାଖ ସେହି            ମହୀରୁହ ତଳେ

ଜନୈକ ବୃଦ୍ଧ ତପସ୍ୱୀ,

ସାୟଂସନ୍ଧ୍ୟା ଧ୍ୟାନେ            ନିବିଷ୍ଟ ଚିତ୍ତରେ

ଅଛନ୍ତି ଏକାକୀ ବସି ।

ନମନ୍ତେ ମୁଁ ତାଙ୍କୁ            ଗ୍ରହି ମୋ ପ୍ରଣତି

ଈଷତ ଶିର କମ୍ପାଇ,

ଆଦେଶିଲେ ଯୋଗୀ      ଅଙ୍ଗୁଳି ନିର୍ଦ୍ଦେଶି

ନିକଟେ ବସିବା ପାଇଁ ।

ସାନ୍ଧ୍ୟକୃତ୍ୟ ସାରି            କୁଶଳ ବାରତା

ପୁଚ୍ଛା କଲେ ଯତି ମତେ,

ବହୁତ କାଳରୁ            ପରିଚୟ ଥିଲା

ଯେଣୁ ମୋ ତାଙ୍କ ସଙ୍ଗତେ ।

ଉତ୍ତର ଦେଇ ମୁଁ            ବିନୟେ ପୁଚ୍ଛିଲି

ଊର୍ଦ୍ଧ୍ୱରେତା ତପିବରେ,

କେଉଁ କେଉଁ ସ୍ଥାନେ            ଭ୍ରମି ବାହୁଡ଼ିଲେ

ପୁଣି ବହୁଦିନ ପରେ ।

ମୋ ବଚନ ଶୁଣି            ସାଗ୍ରହେ ସଧୀରେ

ବିବରିଲେ ତପୋଧନ,

ମହାଜନ କତି            ବିଫଳ ପ୍ରାର୍ଥନା

ହୁଏ ନାହିଁ କଦାଚନ ।

କୁପାରି ୧ ବଉଧ            କୀର୍ତ୍ତି ବିମଣ୍ଡିତ

ଯହିଁ କୁପେଶ୍ୱର ହର,

ଜଗଦମ୍ବା ଦୁର୍ଗା            ସଙ୍ଗେ ମଣ୍ଡିଛନ୍ତି

ମେଦୂର ଶୈଳଶିଖର ।

ଜାଙ୍ଗଳ ମାଗଧ            ସୀମାସ୍ଥଳରୂପେ

ବିରାଜେ ଜନବସତି ୨

ଯହିଁ ତନ୍ତୁବାୟେ            କୌଷେୟ ବସନ

ଶିଳ୍ପେ ପ୍ରଶସ୍ତିତ ଅତି ।

ଘନ କେଳିମଞ୍ଚ            ପ୍ରକୃତି ମାଳଞ୍ଚ

ମେଘାସନ-ସୂତାକୂଳେ ୩

ନିବସନ୍ତି ଯହିଁ            ସ୍ୱୟମ୍ଭୁ ଅଣିଜ

ଉତ୍ତୁଙ୍ଗ-ଶୃଙ୍ଗ ଦେଉଳେ ।

କର୍କରା-କଳୁଷ            ଭୀମପୁର ଗ୍ରାମ

ସାଳନ୍ଦୀ କୂଳେ ଶୋଭିତ,

ଦ୍ୱିତୀୟ ପାଣ୍ଡବ            ସୁପ୍ରକାଣ୍ଡ କାଣ୍ଡ

ହୋଇଛି ଯହିଁ ରକ୍ଷିତ 

ଅଦୂରେ ତାହାର            ସୁରଦାରୁକୁଞ୍ଜେ

ସୁଶ୍ୟାମଳ କାଉପୁର,

ପୁଣ୍ୟ ସୀତାକୁଣ୍ଡେ ୪      ସ୍ନାନ କଲେ ଯହିଁ

ପାପ ହୋଇଯାଏ ଦୂର ।

ନିଦାଘେ ଯେ ଠାବେ      ସାଳନ୍ଦୀ ତଟିନୀ

ପ୍ରବାହିତ ହୁଏ ଖରେ,

ଡେଇଁ ଡେଇଁ ଚାଲେ      ଘର୍ଘର ନିର୍ଘୋଷେ

ବିଶାଳ ଶିଳା-ଶେଯରେ ।

ଭାରତୀ କମଳା            ପ୍ରିୟ ନିକେତନ

ଉନ୍ନତ ବାଉଦପୁର,

 

୧ - ଏହା ଭଦ୍ରକର ପଶ୍ଚିମରେ । ଏଠରେ ପ୍ରାଚୀନ ବୌଦ୍ଧକୀର୍ତ୍ତି ଅଛି । 

୨ - ଆଗରପଡ଼ା ଗ୍ରାମରେ ଉତ୍କୃଷ୍ଟ ମଠା ପ୍ରସ୍ତୁତ ହୁଏ ।

୩ - ସାଳନ୍ଦୀ କୂଳରେ ଅଣିଜ ମହାଦେବଙ୍କର ମନ୍ଦିର ବିଦ୍ୟମାନ ।

 

୪ - ସୀତାକୁଣ୍ଡ କାଉପୁରର ନିକଟବର୍ତ୍ତୀ ସାଳନ୍ଦୀ ନଦୀ ମଧ୍ୟରେ ଅବସ୍ଥିତ ।

 

ଧନେ ମାନେ ଜ୍ଞାନେ      ଶିକ୍ଷା ସଭ୍ୟତାରେ

ପ୍ରଶସ୍ତି ଯାର ପ୍ରଚୁର ।

ବ୍ୟବସ୍ଥା ନଗରୀ            ପ୍ରାଚୀନ ସନ୍ଥିଆ

ଧରିଛି ବୈଷ୍ଣବ ପନ୍ଥା,

ପୁରାକାଳୁ ଯହିଁ            ସୁରକ୍ଷିତ ଅଛି

ଶ୍ରୀଚୈତନ୍ୟଚନ୍ଦ୍ର କନ୍ଥା ୧ ।

କ୍ଷମାମୟ ଯୋଗୀ            କ୍ଷମାସାଗରଙ୍କ

ସମାଧି ମନ୍ଦିର ପାଶେ,

ଅକଳିତ କାଳୁଁ            ରୁଦ୍ର ଆମ୍ରତରୁ ୨

ତୋଳିଛି ଶିର ଆକାଶେ ।

ବୀରେନ୍ଦ୍ର ମଉଳି-            କିରୀଟ କାଞ୍ଚନ

ଉଗ୍ରମୂର୍ତ୍ତି ହନୁମାନ, ୩

ବିରାଜନ୍ତି ଯହିଁ            ବାମ ଯାମ୍ୟକରେ

ଘେନି ବେନି ସାନୁମାନ ।

ମହିଷ-ବିକଟ            ଅସୁରା ନଗରୀ

ବେତସ ବନ ଛୁରିତ,

ଅସୁର-ଖୋଦିତ            ଦୀର୍ଘ ସର ଯହିଁ

ବିରାଜେ ସ୍ମରଣାତୀତ ।

ଯେ ଗ୍ରାମ ଗୌରବ      କବିନ୍ଦ୍ର ବହ୍ଲବ ୪

ନବରସ ଅକୂପାର,

ପୁଜୂଥିଲେ ଯେହୁ            ବୀଣାପାଣି ପାଦ

କାବ୍ୟ-ଫୁଲେ ରଚି ହାର ।

ବିଶ୍ୱ-ପ୍ରାଣାରାମ            ରାମ ସଂସ୍ଥାପିତ

ଯେ ଗ୍ରାମେ ତ୍ରିପୁର-ଅରି,

ସାଳନ୍ଦୀ ତଟିନୀ            ତଟେ ନିବସନ୍ତି

ରାମେଶ୍ୱର ଆଖ୍ୟା ଧରି ୫।

ଅଷ୍ଟ ଶାସନର            ଅଧିଷ୍ଠାତାରୂପେ

ଶରାଙ୍କିତ ବ୍ୟୋମକେଶ ୬

ସଂସ୍ଥାପିଲେ ଯହିଁ            ସୌମିତ୍ରି ସୁରଥୀ

ଘେନି ଅଗ୍ରଜ ଆଦେଶ ।

ଚଉଦ୍ୱାର - ଶୋଭୀ            ଛବିଳ ଦେଉଳେ

ଯହିଁ ବ୍ରହ୍ମା ନିବସନ୍ତି, ୭

ପୂର୍ବେ ସିନ୍ଧୁତଟ            ଥିଲା ବୋଲି ଯାକୁ

ପ୍ରଚାରଇ କିମ୍ବଦନ୍ତୀ ।

ଅଦୂରେ ଯାହାର            ଗୁପ୍ତ ଗଙ୍ଗା ନାମେ

ରାଜେ ପୂଣ୍ୟତୀର୍ଥ ସ୍ଥଳ,

ମହା ବାରୁଣୀରେ            ବିଶୁଷ୍କ ପ୍ରାନ୍ତରୁ

ବାହାରଇ ଯହିଁ ଜଳ ।

କଳୁଷିତ - ତୋୟା            ନକ୍ରଭୀତିପ୍ରଦା

ମନ୍ତେଇ ମହାପଙ୍କିଳା,

 

୧ - ବୈଷ୍ଣବଧର୍ମପ୍ରଚାରକ ଶ୍ରୀଚୈତନ୍ୟ ଦେବ ଭଦ୍ରଖର ଅନ୍ତଃପାତୀ ସନ୍ଥିଆ ଗ୍ରାମରେ କେତେକ ଦିନ ଅବସ୍ଥାନ କରି ଧର୍ମପ୍ରଚାର କରିଥିଲେ । ତାହାଙ୍କ କନ୍ଥାଖଣ୍ଡିକ ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ସୁରକ୍ଷିତ ଅଛି ।

 

୨ - ଅସ୍ତଳ ଗ୍ରାମରେ ମହାତ୍ମା କ୍ଷମାସାଗରଙ୍କ ମଠ ଅବସ୍ଥିତ । କଥିତ ଅଛି, ମଠର ମହନ୍ତ କ୍ଷମାସାଗର ଜୀଉ ଜୀବିତ ସମାଧି ଗ୍ରହଣ କଲା ପରେ ବୃନ୍ଦାବନ ପଥରେ ଜଣେ ଭକ୍ତଙ୍କୁ ସାକ୍ଷାତ ଦେଇ ତାହା ହସ୍ତରେ ଗୋଟିଏ ଆମ୍ର ପ୍ରଦାନପୂର୍ବକ କହିଲେ, “ଏହାକୁ ଆମ୍ଭ ଚେଲାଙ୍କୁ ଦେବ ଏବଂ କହିବ, ଆମ୍ବଟି ଠାକୁରଙ୍କଠାରେ ନୈବେଦ୍ୟ ଦେଇ ମନ୍ଦିର ସମୀପରେ ଟକୁଆ ପୋତିଦେବେ ।” ସାଧୁଙ୍କ ଆଦେଶରେ ସେହିରୂପ କରାଯାଇଥିଲା । ସେହି ଆମ୍ବ ବୃକ୍ଷଟି ସେହି ଦିନଠାରୁ ଅବଧି ବିଦ୍ୟମାନ ଅଛି ।

 

୩ - ଭଦ୍ରଖ ଅନର୍ଗତ ଚରମ୍ପାଗ୍ରାମରେ ହନୁମାନଙ୍କର ମନ୍ଦିର ଅଛି ।

୪ - ସଙ୍ଗତ ଗ୍ରାମରେ ବଂଶୀବଲ୍ଲଭ ଜନ୍ମଗ୍ରହଣ କରିଥିଲେ । ଏହାଙ୍କର ପ୍ରଚଳିତ ନାମ

ବହ୍ଲବ ଥିଲା ।

୫ - ହରିଶଙ୍କରପୁର ଗ୍ରାମରେ ରାମେଶ୍ୱର ଶିବମନ୍ଦିର ଅବସ୍ଥିତ ।

୬ - ଗୁଆମାଳ ଅନ୍ତର୍ଗତ ନୂଆଶାସନରେ କୁମାରେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠିତ ।

୭ - ପାଳିଆ ଗ୍ରାମରେ ଚତୁର୍ମୁଖ ବ୍ରହ୍ମାଙ୍କର ମନ୍ଦିର ଅଛି । ପୂର୍ବେ ସେହି ପର୍ଯ୍ୟନ୍ତ ସମୁଦ୍ର ବିସ୍ତୃତ ଥିବାର କିମ୍ବଦନ୍ତୀ ଅଛି ।

 

କୁଟିଳ ଗତିରେ            ଗମେ ଯେଉଁ ଦେଶେ

ବିସ୍ତାରି ଲହରୀ - ଲୀଳା ।

ମୃଗେଶ - ବାହିନୀ            ମହେଶ - ଭାବିନୀ

ଚିର - ବିମୁ କ୍ତ - କୁନ୍ତଳା,

କେତକ କାନନେ            ଅଧିଷ୍ଠିତ ଯହିଁ

ଦେବୀ ପାଟଣମଙ୍ଗଳା ।

ଭୀଷଣ - ବିଷାଣ      ମହିଷେ ପୂରିତ

ବେଣାପାଟେ କ୍ଷୁଦ୍ର ଗ୍ରାମ,

ଭେଡ଼ା ନାମଧାରୀ,            ପ୍ରାବୃଟେ ଯାହାକୁ

ସାଗର ଲହରୀ ବାମ ।

ନାବିକ - ପୂଜିତା            ଧାମରୀ ଦେବୀଙ୍କ

ପାଳିତ ଭୂମି ଧାମରା,

ସିନ୍ଧୁ ଅଙ୍ଗେ ଯହିଁ            ମିଶାନ୍ତି ସଲିଳ

ଏକତ୍ରେ ନଦୀ ପ୍ରଖରା ।

ଗୋନାସା ଶିଖରୀ-            ସୁତା ବୈତରଣୀ

ବିସ୍ତାରି ଲହରୀ - କର,

ଆଲିଙ୍ଗନ କରେ            ସାଳନ୍ଦୀ ସରିତେ

ଯେ ଦେଶେ, ପଙ୍କିତିତର ।୧

ନିଛାଟିଆ ପାଟେ            ଯୋଗ୍ନୀଥାଟ ଘେନି

ଭ୍ରମନ୍ତି ଯହିଁ ନାୟିକା, ୨

ନୃମୁଣ୍ଡକୁଣ୍ଡଳା            କର୍କଶକୁନ୍ତଳା

କରାଳବେଶୀ କାଳିକା ।

ଆରଡ଼ି ଗ୍ରାମରେ            ବିରାଜନ୍ତି ଯହିଁ

ସ୍ୱୟମ୍ଭୂ ତ୍ରୀଶୂଳାୟୁଧ, ୩

ଅପରାଧୀ ବ୍ୟକ୍ତି            ଜଣାପଡ଼େ ନାହିଁ

ଛୁଇଁଲେ ବୃଷ କକୁଦ ।

ସାଳନ୍ଦୀ ସଲିଳେ            ଅଭିଷିକ୍ତା ଦେବୀ

ଭଦ୍ରକେ ଭଦ୍ରକାଳିକା,

ନିବସନ୍ତି ଦେବୀ            ଖଡ୍ଗକରେ ଯେହ୍ନେ

ମୂର୍ତ୍ତିମତୀ ବିଭୀଷିକା ।

ଗୋହିରା ପ୍ରାନ୍ତରେ            ଉତ୍କଳୀୟ ବୀରେ

ଧରିଣ ଯହିଁ ଆୟୁଧ,

ପ୍ରାଣ - ପ୍ରତିଜ୍ଞାରେ            କଳାପାହାଡ଼ର

ସଙ୍ଗେ କଲେ ଘୋର ଯୁଦ୍ଧ ।

ଉତ୍କଳ ସ୍ୱାଧୀନ            ନରପତି ଆହା

ହେବାରୁ ରଣେ ପତିତ,

ସେହି ଦିନୁ ହେଲା            ଉତ୍କଳ ଜନନୀ

ଭାଗ୍ୟ - ରବି ଅସ୍ତମିତ ।

ଜନ୍ମିଥିଲେ ଯହିଁ            ମହେନ୍ଦ୍ର ଦୁର୍ଲଭ ୪

କାୟସ୍ଥ - କୁଳ - କେତନ,

ଇତିହାସ ସୂତ୍ରେ            ଗ୍ରଥିତ ଯାହାଙ୍କ

ସୁରଭି ଯଶ - ସୁମନ ।

ଗହଳ କିଂଶୁକ            କାନନ - ଶଙ୍କୁଳ

ପ୍ରସିଦ୍ଧ ଗ୍ରାମ ନଗୁଆଁ,

ଯହିଁ ନାଗବଲ୍ଲୀ            ବରଜେ ନିଶୀଥେ

କରୁଣେ ଝୁରେ ଚକୁଆ ।

ଏହିପରି କେତେ            ଦିବସ ଅନ୍ତରେ

ଭ୍ରମି ଭ୍ରମି ନାନାସ୍ଥାନେ,

ଉପନୀତ ହେଲି            ଯାଇ ଗୁଆମାଳେ

ସତୀକୁଣ୍ଡ ସନ୍ନିଧାନେ ।”

ସତୀର କାହାଣୀ            ଶୁଣିବାକୁ ମୋର

ଜନ୍ମିଲା ଆବେଗ ଅତି,

ଧୀର ନମ୍ରଭାବେ            ପଚାରନ୍ତେ ତହୁଁ

ବିବରି କହିଲେ ଯତି ।

“ଉତ୍କଳ - ଦେଉଳ      ଦୀପ ସ୍ୱର୍ଣ୍ଣଦୀପ

ମୁକୁନ୍ଦ ହରିଚନ୍ଦନ,

 

୧ - ଏହି ଗ୍ରାମ ନିକଟରେ ସାଳନ୍ଦୀ ବୈତରଣୀ ସହିତ ମିଶିଅଛି ।

୨ - ଦପା ଗ୍ରାମରେ ନାୟିକା ଦେବୀଙ୍କର ମନ୍ଦିର ଅଛି ।

୩ - ଆରଡ଼ି ଗ୍ରାମରେ ଆରଡ଼େଶ୍ୱର ଶିବମନ୍ଦିର ଅବସ୍ଥିତ ।

୪ - ବେହୁଡ଼ି ଆନନ୍ଦପୁର ଗ୍ରାମରେ ବଙ୍ଗର ନବାବ ସିରାଜଦୌଲାଙ୍କ ମନ୍ତ୍ରୀ ମହେନ୍ଦ୍ର ଦୁର୍ଲଭଙ୍କ ବାସସ୍ଥାନ ଥିଲା ।

 

ତୀର୍ଥଯାତ୍ରା କାଳେ            ଅଷ୍ଟସ୍ଥାନେ ଯହିଁ

ସ୍ଥାପିଲେ ଅଷ୍ଟ ଶାସନ ।

ତହିଁ ମଧ୍ୟେ ଏକ            ଗୁଆମାଳ ନାମେ

ରମଣୀୟ ଜନପଦ,

ନିବସନ୍ତି ଯହିଁ            ସଦାଚାରୀ ଦ୍ୱିଜେ

ବେଦଶାସ୍ତ୍ର-ବିଶାରଦ ।

ପୂର୍ବେ ସେହି ରାଜ୍ୟ            ବହୁଳ ଗୁବାକ

ପାଦପେଲ ଥିଲା ଘଞ୍ଚାଳ,

ସେହି ହେତୁ ସ୍ଥଳୀ            ଅଦ୍ୟାପି ଲୋକରେ

ବୋଲାଉଛି ଗୁଆମାଳ ।

ନାରିକେଳ କୁଞ୍ଜେ            ବିଛୁରି ଏକାଳେ

ଦୂରରୁ ହରେ ନୟନ,

ଧନ୍ୟ ସେ ନଗରୀ            କାଳେ କାଳେ ଯେଣୁ

ଧରିଛି ଶୁଭ ଲକ୍ଷଣ ।

ପୂର୍ବେ ସେହି ସ୍ଥଳେ            ନିବିଡ଼ ଅରଣ୍ୟ-

ପ୍ରାଚୀରେ ହୋଇ ବେଷ୍ଟିତ,

ଅରାତି-ଅଜେୟ            ଦୁଗ ପ୍ରାୟ ଦୂରୁ

ହେଉଣଥିଲା ପ୍ରତୀତ ।

ଛନ୍ଦିଅଛି ପଦେ            ସାଳନ୍ଦୀ ତଟିନୀ

ନିସର୍ଗ ପରିଖା ତୁଲେ,

ଶତ୍ରୁଚମୂ ପ୍ରାୟ            ଦିଅନ୍ତି ପହରା

ଚୌପାଶେ ଶ୍ୱାପଦକୁଳେ ।

ଖଡ୍ଗଧାରୀ ସମ            ଫଣଫଣା ତରୁ

ଧରିଥିଲା ଅସିକୋଷ,

ବୀରରଡ଼ି ପ୍ରାୟ            ହିଂସ୍ର ଜନ୍ତୁଙ୍କର

ଗଭୀର ଘୋର ନିର୍ଘୋଷ ।

ଶଙ୍ଖଧ୍ୱନି ସମ            ଘନ ଘନ ଶବ୍ଦ

କରୁଥିଲେ ଖରଜାଳ,

ଲତାକୁଞ୍ଜେ ବସି            ଉଡ଼ାଏ କଳାପୀ

ସୁନ୍ଦର ଶିଖା-ଚିରାଳ ।

କ୍ରୋଧିତ ସଜାରୁ            ଦକ୍ଷ ବୀର ପ୍ରାୟ

କ୍ଷେପୁଥାନ୍ତି ପକ୍ଷ-ଶର,

ନାଦଛଳେ ପକ୍ଷୀ            ଉଚ୍ଚେ କରୁଥିଲେ

ସଦା ରଣଜୟସ୍ୱର ।

ମାତ୍ର ସର୍ବଲୋପୀ            କାଳଚକ୍ର-ପାଶେ

କିଏ ସେ ଟେକିବ ମଥା,

କାଳବଶେ ଲୁପ୍ତ            ଏବେ ସେ କାନ୍ତାର

ଶିଶିରେ କମଳ ଯଥା ।

ନିୟତି ନିୟମେ            ଆଜି ଯେଉଁ ସ୍ଥାନେ

ତୋଳିଛି ଶିର ଶିଖରୀ,

କାଳବଶେ ଦିନେ            ଖେଳିବ ସେ ସ୍ଥାନ

ଫେନିଳ ଭୀମ ଲହରୀ ।

ଆଜି ଯେଉଁ ସ୍ଥାନେ            ଶୋହେ ରତ୍ନଖଚୀ

ସୁରମ୍ୟ ହର୍ମ୍ୟ ଉନ୍ନତ,

କାଲି ସେହି ସ୍ଥାନ            ହେବ ପୁଣି ଆହା

ଶ୍ମଶାନରେ ପରିଣତ ।

ଏବେ ସେହି ସ୍ଥାନ            ପ୍ରକାଶୁଛି ହାସ

ଶ୍ୟାମଳ ଶସ୍ୟସମ୍ଭାରେ,

ଅଲକ୍ଷ୍ମୀ ଆବାସ            ପରିଣତ ଆହା

କମଳା କୋଠ ଭଣ୍ଡାରେ ।

 

ଦ୍ୱିତୀୟ ସର୍ଗ

 

ଗୁଆମାଳ ମଧ୍ୟେ            ବିଷ୍ଣୁପୁର ଗ୍ରାମେ

କରନ୍ତି ଦ୍ୱିଜେ ବସତି,

କୁଳେ ଶୀଳେ ମାନେ      ଭୂସୁରକୁଳରେ

ଟେକ ଯାହାଙ୍କର ଛତି ।

ପୀତାମ୍ବର ମିଶ୍ର            ନାମେ ଏକ ଦ୍ୱିଜ

କରିଥିଲେ ତହିଁ ବାସ,

ଆଜୀବନ ବିପ୍ର            ଛୁଇଁଥିଲେ ନାହିଁ

ଅନୀତି ଅଧର୍ମ ପାଶ ।

ଯା ରୂପ ବର୍ଣନା            ଅମର ରସନା

ବଳେ, ନର କେଉଁ ଛାର

ରୂପ ତୁଳନାରେ            ଅସମ ଯାହାକୁ

ବସନ୍ତ ସୁନ୍ଦରସାର ।

ନବଦୂର୍ବାନିଭ            ଶ୍ୟାମ କଳେବର

ନବନୀତରୁ କୋମଳ,

ଚାରୁନେତ୍ର ଯଥା            କାଳିନ୍ଦୀ ସଲିଳେ

ଶୋହେ ବିକଚ କମଳ ।

କେଡ଼େ ଶୋଭା ଧରେ            କୃଷ୍ଣ କେଶଗୁଚ୍ଛ

ମସ୍ତକେ କୁଞ୍ଚି କୁଞ୍ଚିକା,

କଞ୍ଜକୋଷ ପରେ            ମାଡ଼ିଅଛି କିବା

ନୀଳ ଶୈବାଳ ଲତିକା ।

ସୁବିଶାଳ ବକ୍ଷ            ଔଦାର୍ଯ୍ୟ ରାଜାର

ମରକତ-ସିଂହାସନ,

ଅସି ଅଗ୍ର ପ୍ରାୟ            ନାସିକା, ଶାରଦ

ପର୍ବେନ୍ଦୁଜିତ ବଦନ ।

ଶାଳ ଶାଖା ଭଳି            ସରଳ ସୁଢଳ

ଭୁଜ ଆଜାନୁଲମ୍ବିତ,

ଜ୍ଞାନ-ବିଚକ୍ଷଣ            ବିଦ୍ୟା-ଧୁରନ୍ଧର

ସର୍ବଶାସ୍ତ୍ର ସୁପଣ୍ଡିତ ।

ଯେ ବିଷମ କାଳେ            ଭୁଲିଯାନ୍ତି ଅଜ୍ଞ-

ଜନେ ହିତାହିତ ଜ୍ଞାନ,

ପୀତାମ୍ବର ସେହି            ତରୁଣ ବୟସେ

ଥିଲେ ଅତି ସାବଧାନ ।

ଯୌବନେ ଯୁବକେ            ସମକ୍ଷରେ ଦେଖି

ପାପପୁଣ୍ୟ ବେନି ପଥ,

ସ୍ୱଭାବ ସଂସର୍ଗ-            ବଶରୁ ଗମନ୍ତି

ଯାର ଯେଣେ ମନୋରଥ ।

ପ୍ରଥମ ପଥରେ            ଗମିବା ସହଜ

ଦ୍ୱିତୀୟଟି ଅସହଜ,

ଦୌବାରିକ ତୁଲେ            ଓଗାଳି ଅଛନ୍ତି

ଯେଣୁ ତାକୁ ରିପୁବ୍ରଜ ।

ପହିଲେ କଷଣ            ନ ସହିଲେ କାହିଁ

ଘଟିବ ଶେଷେ ମଙ୍ଗଳ,

ସ୍ୱାଦୁ ମିଳେ ସିନା            ହରୀତକୀ ଭୁଞ୍ଜି

ତଦନ୍ତେ ପିଇଲେ ଜଳ ।

ମାତ୍ର ଆଦ୍ୟ ସୁଖ            ପରିଣାମ ଦଶା

ଘୋର ଅନର୍ଥକାରିଣୀ,

ଆପାତ ମଧୁର            ଲଙ୍କାଆମ୍ରେ ଯଥା

ଜିଭ ହୁଏ ଝିଣିଝିଣି ।

ଈର୍ଷାପତ୍ନୀ ସହ            ଆରମ୍ଭେ ଯୌବନ

ହୃଦୟ-ବେଦୀରେ ଯାଗ,

ପୁରୋଧା ବରଣେ            କାମ, କ୍ରୋଧ ଅଗ୍ନି,

ଧର୍ମ ଯଜ୍ଞପଶୁ ଛାଗ ।

ସତ୍କାର୍ଯ୍ୟ ଆହୁତି,            ଲୋଭ ଶ୍ରୁବ ସ୍ରୁଚ,

ଆବର ହୋତା ଅଜ୍ଞାନ,

କଳହ ଉଦ୍ଗାତା            ମିଥ୍ୟା ଯଜ୍ଞଯୂପ

ସତ୍ୟ ସମିଧ ସମାନ ।

ଏହି ଭୟାବହ            ଅମଙ୍ଗଳ ଯାଗେ

ବାମାଭକ୍ତି-ସୋମରସ,

ଏ ଯଜ୍ଞର ଫଳ            ପାପ ଅଧୋଗତି

ଅଳ୍ପାୟୁଷ ଅପଯଶ ।

ଯୌବନ ପ୍ରଭାବେ            ଦୁର୍ନିବାର ଗର୍ବ

ଅନାହ୍ୱାନେ ଉପସ୍ଥିତ,

ବର୍ଷାଋତୁ ପ୍ରାୟ            ସ୍ୱଚ୍ଛ ହୃଦସରେ

କରିଦିଏ କଳୁଷିତ ।

ତହିଁ ସଙ୍ଗେ ଆସି            ବିଷୟ ବାସନା

ରୋଧି ହିତାହିତ ପଥ,

ନିରଙ୍କୁଶ ଭାବେ            ଟାଣି ଘେନିଯାଏ

ଦୁଷ୍ଟ ମାର୍ଗେ ମନୋରଥ ।

ଧନ ପଛେ ଲୋଭ            ହସ୍ତେ ଧରି ଆସେ

ପଞ୍ଚାଧ୍ୟାୟ ପୂର୍ଣ୍ଣ ଗ୍ରନ୍ଥ,

ଏହି ଦୁଷ୍ଟ ସିନା            ଯୁବକଙ୍କୁ ଦିଏ

ଗୁରୁରୂପେ ଆଦ୍ୟ ସନ୍ଥ ।

ପୁଣି ଏହି କାଳେ            ମିଳେ ଯଦି ଦୈବେ

ପ୍ରଭୁତ୍ୱ ସୁଖ ସମ୍ଭୋଗ,

ଯୋଖିଯାଏ ତେବେ            ସୁବର୍ଣ୍ଣେ ସୁହାଗା

ସୌଭାଗ୍ୟେ ମାହେନ୍ଦ୍ର ଯୋଗ ।

କିନ୍ତୁ ସେ ପ୍ରଭୁତ୍ୱ            ବିଷମ ବ୍ୟାଧିର

ଔଷଧି ଭବେ ଅଭାବ,

ଭୃତ୍ୟରୁ ଅଧିକ            ଅଧୀନେ ମଣନ୍ତି

ପ୍ରଭୁଙ୍କର ଏ ସ୍ୱଭାବ ।

ଦିବ୍ୟ ଚକ୍ଷୁଷ୍ମାନ            ସଦା ଆତ୍ମସୁଖେ

ପରଦୁଃଖେ ଚକ୍ଷୁହୀନ,

ଦୀନ ଦରିତ୍ରଙ୍କ            ପ୍ରତି ହୃଦ ତାଙ୍କ

କୁଳିଶୁଁ ବଳି କଠିନ ।

ବିନୟେ ଅଧୀନ            ଦୁଃଖ ନିବେଦିଲେ

ଥାଉ କହିବାର କଥା,

ବିନା ଦକ୍ଷିଣାରେ            ଥରେହେଁ କଦାପି

ଟେକି ନ ଚାହାନ୍ତି ମଥା ।

ନିରପେକ୍ଷ ଜନ            ମୁଖରୁ ଶୁଣିଲେ

ଆତ୍ମମତ ବିପରୀତ,

ରୁଦ୍ର ଅହମିକା-            ପ୍ରଚଣ୍ଡ ପାବକେ

ଅର୍ପନ୍ତି ଝାସ ତ୍ୱରିତ ।

ଯୌବନ, ସମ୍ପଦ,            ପ୍ରଭୁତ୍ୱ ତିନିହେଁ

କରନ୍ତି ଦୁଃଖ ସଞ୍ଚାର,

ଏ ଦୁଷ୍ଟଙ୍କ ହସ୍ତୁ            ସତ୍ୟଧର୍ମସେବୀ

ଲଭନ୍ତି ଏକା ନିସ୍ତାର ।

କିନ୍ତୁ ଏ ଦୁରନ୍ତ            ତିନି ମିତ୍ରଙ୍କର

ଜଘନ୍ୟ ଚରିତ୍ର-ରାଶି

ପାରିଥିଲା ନାହିଁ            ପୀତାମ୍ବର ପ୍ରାଣେ

ବୀଭତ୍ସ ଦୀକ୍ଷା ପ୍ରକାଶି ।

ଲୋଭମୋହ ଆଦି            ଦୁଷ୍ଟରିପୁ ତାଙ୍କୁ

ନ ଥିଲେ ମୂଳହୁଁ ଛୁଇଁ,

ହୃଦୟ-ଅମ୍ବରେ            ସଦ୍ଭାବ-ଶଶାଙ୍କ

ଥଲା ଆଜୀବନ ଉଇଁ ।

ପଡ଼ିଶାଙ୍କ ସୁଖ-            ଦୁଃଖେ ଥିଲା ତାଙ୍କ

ଗଭୀର ସହାନୁଭୂତି,

ଭ୍ରମୁଥିଲେ କିବା            ମର୍ତ୍ତ୍ୟେ ଶାନ୍ତରସ

ଧରି ମନୋମଦ ମୂର୍ତ୍ତି ।

ପିତୃମାତୃ ପଦେ            ଅବିଚଳା ଭକ୍ତି

ରଖିଥା’ନ୍ତି ନିରନ୍ତର,

ପିତୃମାତୃଭକ୍ତ            ସ୍ୱର୍ଗର ଦେବତା

ନୁହେଁ ସେ ପ୍ରାକୃତ ନର ।

ସେ ବେନିଙ୍କ ଋଣ            ତନୟ ପକ୍ଷରେ

ଯେସନ ଅଗାଧ ସିନ୍ଧୁ,

ଶତକଳ୍ପ ସେବା            କଲେ ସେ ଋଣରୁ

ଶୁଝି ନୁହେଁ ଏକ ବିନ୍ଦୁ ।

ତାଙ୍କ ପଦେ ଯେହୁ            ଆତ୍ମଗରିମାରେ

ନ କରେ ଭକ୍ତି ପ୍ରଣାମ,

ଧିକ ସେ ମାନବ,            ଧିକ ତା’ ଜନମ,

ଧିକ ତା’ର ପୁତ୍ର ନାମ ।

ଆବାଲ୍ୟ କାଳରୁ            ଆଶ୍ରିଥିଲେ ଦ୍ୱିଜ

ସୂକୃତି ପବିତ୍ର ପଥ,

କାୟମନୋବାକ୍ୟେ            ପାଳୁଥିଲେ ପୁଣି

ଅତିଥି ସତ୍କାର ବ୍ରତ ।

ଧୈର୍ଯ୍ୟ ଶାନ୍ତି କ୍ଷମା            ଦୟା ଅସ୍ତ୍ର ଧରି

ମାତିଣ ଧର୍ମ-ସମରେ,

ପାପ ପକ୍ଷବାର            ରିପୁକୁଳେ ଦ୍ୱିଜ

ଜିଣିଥିଲେ ଅକ୍ଳେଶରେ ।

ଶଶିପ୍ରଭା ନାମେ            ଶଶିପ୍ରଭାମୟୀ

ତାହାଙ୍କ ସହଧର୍ମଣୀ,

ରୂପେ ଗୁଣେ ବାଳା            ଅନୁପମା ଭବେ

ମତ୍ତ ମାତଙ୍ଗଗାମିନୀ ।

ଭାବୁଥିଲେ ଲୋକେ       ଦେଖି ସେ ରୂପସୀ-

ମୌଳିମଣି-ରୂପପ୍ରଭା,

ଶୋଭା-ସ୍ୱର୍ଣ୍ଣ ଛାଞ୍ଚେ            ସତର୍କେ ବିରଞ୍ଚି

ଉତାରିଛି ଢାଳି ଅବା !

ସୁକୁମାର ବପୁ            କିବା ସେ ଶିରୀଷ-

କୁସୁମଖଚୀ ପିତୁଳି,

ବାଳାତପ ତେଜ            ପରଶମାତ୍ରକେ

ସତେ ବା ଯିବ ଝାଉଁଳି ।

ନେତ୍ରଯୁଗ କି ସେ            ବସିଛନ୍ତି ଆସ୍ୟ-

କଞ୍ଜେ ଯୁଗ୍ମ ଖଞ୍ଜରୀଟ,

ଅଳକା କିବା ସେ            ଫୁଲ୍ଲ କମଳକୁ

ବେଢ଼ିଛନ୍ତି ମଧୁଲିଟ ।

ଜୟନ୍ତୀ ସୁମନ            ଆରକ୍ତିମ କାନ୍ତି

ଅଧର ଦିଅଇ ଦଳି,

ନାସା ସୁଷମାରେ            ସ୍ୱର୍ଣ୍ଣବଂଶୀ ଧୈର୍ଯ୍ୟ

ଲଜ୍ଜାରେ ଯିବ ତରଳି ।

ଶମ୍ପାଗୌରୀ ଭାଲେ            ସିନ୍ଦୂରବିନ୍ଦୁଟି

ଆଭାସେ କେଡ଼େ ରୁଚିର,

ହେମଘନ ଭେଦି            ଉଇଁଛନ୍ତି କିବା

ପ୍ରଭାତେ ବାଳ ମିହିର ।

ଶ୍ରବଣଯୁଗଳେ            ଚାରୁ ହୀରାକାପ

ଦିଶଇ ମଞ୍ଜୁଳ ଅତି ।

ମୁଖ-ଶଶଧରେ            ଶୁକ୍ର ବୃହସ୍ପତି

କରନ୍ତି କିବା ଆଳତି ।

ବସ୍ତ୍ର ଆବରଣ            ଫୁଟି ଝଟକଇ

ମୋତିହାର ନେତ୍ରକାରା,

ସ୍ୱଚ୍ଛ ବଳାହକ            ମଧ୍ୟୁ ଆଭାସେ କି

ଧାଡ଼ିଏ ଧାଡ଼ିଏ ତାରା ।

ଡମ୍ବରୁମଧ୍ୟାର            କରଯୁଗେ ଶୋହେ

ସରୁ ଶଙ୍ଖା ହଙ୍ଗୁଳିତ,

ପଦ୍ମରାଗବର୍ଣ୍ଣୀ            ଖଇଁଚଡ଼ା ଲତା

ମୃଣାଳେ ଯଥା ଜଡ଼ିତ ।

ବିପରୀତ ରମ୍ଭା            ତୁଲେ ଚାରୁ ଊରୁ

ନିତମ୍ବ ଅତି ପୃଥୁଳ,

କରଜପନ୍ତି କି            ଶୋଭା-ସରୋବରେ

ଫୁଟିଛି କହ୍ଲାର ଫୁଲ ।

ରୂପେ ଗୁଣେ ବାଳା            ସଙ୍ଗେ ସରି ହେଲେ

ହେବେ ଲୋକମାତା ରମା,

ମର୍ତ୍ତ୍ୟଲୋକେ ଏକା            ଅଟେ ସିନା ସେହି

ତାହାର ଯୋଗ୍ୟ ଉପମା ।

ଅତ୍ୟଳ୍ପ ଭୂଷଣେ            ଭୂଷଣଭୂଷଣା

ଶୋଭେ ଦେବୀ ଶଶିପ୍ରଭା,

ବହୁ ଅଳଙ୍କାରେ            ଲୁବ୍‍ଧମନା କେବେ

ହୁଏ କି ସତୀ ସଧବା ।

ପର ପୁରୁଷକୁ            ଅବଲୋକ ବାଳା

ନ କରଇ ଟେକି ମୁଖ,

ପୁଣ୍ୟ ଶୁଭକର୍ମେ            ସଦା ରତ ଥାଏ

ସତ୍ୟେ ମଣେ ମହାସୁଖ ।

ରୂପ ଗୁଣ ବେନି            ମଧ୍ୟେ ସଦାକାଳେ

ଲାଗିଅଛି ଭ୍ରାତୃକଳି,

କିନ୍ତୁ ବାଳାଠାରେ            ସେ ବେନି ମିଳିଣ

ଥିଲେ ନୀରକ୍ଷର ଭଳି ।

ଏକକୁ ଆରେକ            ଯୋଗ୍ୟ ପଟାନ୍ତର

ଥିଲେ ସେ ଦ୍ୱିଜ ଦମ୍ପତି,

ସ୍ୱାମୀ ସେବନକୁ            ମଣୁଥିଲା ବାଳା

ମୁକତି ସ୍ୱର୍ଗ ସମ୍ପତ୍ତି ।

ତେଣୁ ସ୍ୱାମୀ ପୂଣ୍ୟ-      ସରୋଜ ପୟରେ

ଅବଳା-ମୁକୁଟ-ଝରା,

ଦାନ କରିଥିଲା            ମନପ୍ରାଣ ଯଥା

ସୁଧାକର ପଦେ ତରା ।

ବେନି ହୃଦରାଜ୍ୟେ            ବେନିଏ ବେନିଙ୍କୁ

କରିଥିଲେ ଅଭିଷେକ

ପ୍ରେମ-ଜଳେ, ତେଣୁ       ବେନିଙ୍କର ଆତ୍ମା

ମିଶି ହୋଇଥିଲା ଏକ ।

ଏକ ପଞ୍ଜରୀରେ            ଯୂଗ୍ମ ଶୁକ ସାରି

ଅବା ସେ ପୁଂସ ଲଳନା,

ଏକ ବୃନ୍ତେ ବେନି            ଫଳ ସେହୁ ବେନି

ଏସନ ହୁଏ କଳ୍ପନା ।

ସାଧୁ ଆତ୍ମା ସିନା            ସାଧୁ ଆତ୍ମା ସଙ୍ଗେ

ମିଶିଯାଏ ଅବିକଳ,

ସାର ସୁବର୍ଣ୍ଣରେ            ମିଶି ପାରଇ କି

କୃତ୍ରିମ ବେଙ୍ଗି ପିତ୍ତଳ ।

ଏ ମାୟା ସଂସାରେ       ସକଳ ଅସାର

ଧର୍ମ ଏକା ସତ୍ୟ ଧନ,

ନାରୀଧର୍ମ ମଧ୍ୟେ            ସାର ସ୍ୱାମିସେବା

ପାତିବ୍ରତ୍ୟ ସଂରକ୍ଷଣ ।

ତେଣୁ ସ୍ୱାମିପଦ            ସେବୁଥିଲା ବାଳା

ମଣି ତାକୁ ମୁକ୍ତିପଥ,

ନ ଛୁଏଁ ସେ ଜଳ            ନ କରିବା ଯାଏଁ

ପାରାୟଣ ଧର୍ମଗ୍ରନ୍ଥ ।

ମୂର୍ଖ ନୀଚ ଜନେ            ଦେବତା ସମାନ

ହୁଅନ୍ତି ଧରମବଶୁଁ,

ଧର୍ମହୀନ ବିଜ୍ଞ            କୁଳୀନ ସଙ୍ଗତେ

ତୁଳନା କେବଳ ପଶୁ ।

ଆନ କେ କରିବ            ଅୟସେ ସୁବର୍ଣ୍ଣ

ଆୟସ୍କାନ୍ତ ମଣି ବିନା,

ସୁକୃତି ତେସନ            କରିପାରେ ଏକା

ନୀଚ ଜନେ ଉଚ୍ଚ ସିନା ।

ସ୍ୱାମୀ ସୁଖେ ଦୁଃଖେ      ସମଭାଗୀ ହୋଇ

ଧ୍ୟାଇଣ ପ୍ରାଣାରାମଙ୍କୁ,

କାଳ ଅତିକ୍ରମି            ସାର୍ଥ କରିଥିଲା

ସହଧର୍ମିଣୀ ନାମକୁ ।

ପୁଷ୍ପାଶୁଗେ ଲଭି            ରତି ସତୀ ଯଥା

ହୋଇଥିଲେ ଆହ୍ଲାଦିନୀ,

ଅଥବା ଯେସନ            ସତ୍ୟବାନେ ଲଭି

ଅଶ୍ୱପତିଙ୍କ ନନ୍ଦିନୀ ।

କି ଅବା ଯେସନ            ବଶିଷ୍ଠ ମହର୍ଷି

ଲାଭେ ସତୀ ଅରୁନ୍ଧତୀ,

କିମ୍ବା ଯେହ୍ନେ ପାଇ            ପତିରୂପେ ନଳେ

ରାଜଜେମା ଦମୟନ୍ତୀ ।

ଅବା ଦେବଦେବ            ଚନ୍ଦ୍ରଚୂଡ଼େ ଲଭି

ଯଥା ହିମାଦ୍ରି-ଦୂହିତା,

କିବା ଯଥା ରାମେ            ରାମହୃଦାକାଶ

ପ୍ରଭାତୀତାରକା ସୀତା ।

ତେସନ ଲଭିଣ            ନିଜ ଯୋଗ୍ୟ ପତି

ପୀତାମ୍ବରେ ଶଶିପ୍ରଭା,

ମଣୁଥାଏ ନିତି            ସ୍ୱର୍ଗର ନିଶୁଣୀ

କରଗତ ହେଲା ଅବା ।

ଦେବତା ଅତିଥି            ଗୁରୁ ବୃଦ୍ଧେ ମାନ୍ୟ

ସମର୍ପି ଯଥାବିହିତ,

ବ୍ରତପରାୟଣ            ହୋଇ ସେ ଦମ୍ପତି

ସତ୍କାର୍ଯ୍ୟେ ଥିଲେ ନିହିତ ।

ଆଳସ୍ୟ ଇନ୍ଦ୍ରିୟ-            ସେବା ମିଥ୍ୟାବାଦ

କ୍ରୋଧେ ବହି ନମଷ୍କାର,

ପାଳୁଥିଲେ ଗୃହି-            ଧର୍ମ ସତ୍ୟ ଦୟା

ସୌଜନ୍ୟ ପରୋପକାର ।

ଜ୍ଞାତି, ପ୍ରତିବେଶୀ            ସମସ୍ତଙ୍କଠାରେ

ବେନିଙ୍କ ଥିଲା ସଦ୍ଭାବ,

ନିଜେ ଛିଦ୍ରବାନ             ଯେ ସିନା, ସେ ପୋଷେ

ହୃଦୟେ କୁଟିଳ ଭାବ ।

ଶାସ୍ତ୍ରରସାମୃତ            ପାନେ ସେ ଦମ୍ପତି

ସୁଖେ କାଟୁଥିଲେ ଦିନ,

ସଂସାରୀ ସହିତେ            ବାହ୍ୟେ ମିଶି ପୁଣି

ସଦା ଥିଲେ ଉଦାସୀନ ।

ସର୍ବ ସୁଖେ ସୁଖୀ            ହୋଇ କ୍ଷେପୁଥିଲେ

ଦିନ ସେ ପୁଂସ ଅବଳା,

ସନ୍ତତି ଅଭାବେ            କିନ୍ତୁ ସେ ସୁଖରୁ

ଊଣା ଥିଲା ଏକ କଳା ।

ମାନବ କି ଛାର            ଲାଗି ରହିଅଛି

ଅଭାବ ଦେବ-ଜୀବନେ,

ଷୋଡ଼ଶ କଳାରେ            ତାରାରମଣ କି

ଉଇଁଛି କେବେ ଗଗନେ ।

ତିନି ଭୁବନରେ            କୁତ୍ରାପି ନୁହେଁ ତ

ସୁଲଭ ବିଶୁଦ୍ଧ ସୁଖ,

କାୟା ଛାୟା ପ୍ରାୟ            ସୁଖ ସଙ୍ଗେ ସଦା

ପ୍ରଚ୍ଛନ୍ନରେ ଥାଏ ଦୁଃଖ ।

ଧନୀର କୁଟୁମ୍ବ       ଅଭାବ, କୁଟୁମ୍ବୀ-

ଜନର ଅଭାବ ଧନ,

ଧନୀର କୁଟୁମ୍ବରେ            ଏହିପରି ସଦା

ଲାଗିଅଛି ବୈରିପଣ ।

ଦିନେ ଶଶିପ୍ରଭା            ଅଦ୍ଭୁତ ସ୍ୱପନ

ଦେଖିଲା ରଜନୀଶେଷେ,

ଆଚମ୍ବିତେ ଆସି            ଆରାଧ୍ୟ ଦେବତା

ଉପବିଷ୍ଟ ଦିବ୍ୟବେଶେ ।

ସୁଶ୍ୟାମଳ ରୂପ            ଅତସୀ କୁସୁମ-

ଆଭାକୁ ଦିଏ ଧିକ୍କାର,

ବିଜଡ଼ିତ କଟୀ-            ତଟେ ପୀତବାସ

ବାରିଦେ ବିଦ୍ୟୁ ପ୍ରକାର ।

ନିଶା ଅନ୍ଧକାର            ହେଳେ ତଡ଼ୁଅଛି

ସ୍ପୁରି ପ୍ରଭା ଅପଘନୁ

ବକ୍ଷ ବିଲମ୍ବିତ            ବନମାଳା ଯଥା

ନୀଳ ନଭେ ଇନ୍ଦ୍ରଧନୁ ।

ଶଙ୍ଖ ଚକ୍ର ଗଦା            ଶତଦଳ ପଦ

ବିଶୋଭିତ ଚତୁଷ୍କରେ,

ଶିଖଣ୍ଡ-ମଣ୍ଡିତ            କନକ କିରୀଟ

ଝଟକେ ମସ୍ତକୋପରେ ।

ଶ୍ରୁତିଯୁଗେ ଦୋଳେ            ମକର-କୁଣ୍ଡଳ

ବିଜୁଳି ବର୍ଣ୍ଣ ଝଟକ,

ବକ୍ଷେ ବିରାଜଇ            ଶରିଦିନ୍ଦୁଜିତ

କୌସ୍ତୁଭ ମହାପଦକ ।

ଏସନ ବେଶରେ            ଅଗ୍ରେ ଉଭା ହୋଇ

ବାଳାକୁ କହିଲେ ଡାକି,

‘‘କିପାଁ ଦିବାନିଶି            ଝୁରୁଛୁ ମାଆ ଲୋ

ଲୋତକେ ପୂରାଇ ଆଖି ।

ଅଦୂର ଭବିଷ୍ୟେ             ଘଟିବ ତୋ ଭାଗ୍ୟେ

ଇଷ୍ଟସିଦ୍ଧି ସୁଖଭୋଗ,

ଶାନ୍ତି ମହୌଷଧି            ସେବନେ ତୁ ଏବେ

କର ଦୂର ଚିନ୍ତାରୋଗ ।

ଆବଲ୍ୟରୁ ସେବି            ଭକ୍ତି-ଡୋରେ ତୁହି

ବାନ୍ଧିଛୁ ମୋର ହୃଦୟ,

ସେହି ପୁଣ୍ୟବଳେ            ଅନ୍ତେ ମୋ ସନ୍ନିଧି

ଲଭିବୁ, ନାହିଁ ସଂଶୟ ।

ଦୂଃଖ-ନିଶି ତୋର            ପାହିଲାଣି, ଆଶୁ

ଲଭିବୁ ଦିବ୍ୟ ନନ୍ଦନ,’’

ଏତେ କହି ପ୍ରଭୁ            ଭକ୍ତଚିନ୍ତାମଣି

ହେଲେ ଖରେ ଅଦର୍ଶନ ।

ଧନ୍ୟ ଧନ୍ୟ ହରି            ଦୀନଜନ ବନ୍ଧୁ

ଅପାର ତୁମ୍ଭ କରୁଣା,

ତୁମ୍ଭ କୃପା ବିନା            ଦୂଃଖୀ ଦୂଃଖଭାର

କେ କରିପାରେ କି ଉଣା ?

କରେ ଯେ ଏକାନ୍ତେ      ତବ ପଦାଶ୍ରୟ

କି ଅଭାବ ଭବେ ତାର,

ନୁହଇ କି ତୃଷା            ଦୂର, ଆଶ୍ରା କଲେ

ସୁଧାପୂର୍ଣ୍ଣ ଅକୂପାର ।

ନିଦ୍ରାଶେଷେ ବାଳା            ସ୍ୱପ୍ନକଥା ହେଜି

ଶଯ୍ୟାରୁ ଉଠି ଚଞ୍ଚଳ,

ସ୍ୱାମୀ ସନ୍ନିଧାନେ            ଆମୂଳ ବୃତ୍ତାନ୍ତ

ବର୍ଣ୍ଣିଲା ସୁଖେ ସକଳ ।

ରହିଥିଲେ ମୃତ            ପ୍ରାୟ ପୀତାମ୍ବର

ଚିନ୍ତା-ଅସ୍ତ୍ର ହୃଦେ ହାଣି,

ସଞ୍ଜୀବନୀ ମନ୍ତ୍ର            ପ୍ରାୟ ହେଲା ତାଙ୍କୁ

ଶଶିପ୍ରଭା ସ୍ୱପ୍ନବାଣୀ ।

ପୁତ୍ରଲାଭ ବର            ଶୁଣି ପୀତାମ୍ବର

ହେଲେ ଅତି ହୃଷ୍ଟମନ,

ନିଦାଘ ତୃଷାର୍ତ୍ତ            ଚାତକ କର୍ଣ୍ଣେ କି

ଶୁଭିଲା ଘନ ଗର୍ଜନ ।

ସେହି ଦିନୁ ଦ୍ୱିଜ            ମଣିଲେ ସେ ବାଣୀ

ବିଶ୍ୱାସ ସହ ଆଶ୍ୱାସ,

ମୂଳକାର୍ଯ୍ୟ ସିନା            ଅଟଇ ବିଶ୍ୱାସ

ଅବିଶ୍ୱାସେ କାର୍ଯ୍ୟ ନାଶ ।

ଜାଣିଲେ ଉଇଁବ            ଅବିଳମ୍ବେ ଭାଗ୍ୟେ

ସୁଖ-ନଳିନୀ-ନାୟକ,

ଫୁଟିଯିବ ଏବେ            ଆଶା-ବ୍ରତତୀରେ

ମନୋରଥ ମଣିବକ ।

ଧନ୍ୟ ଆଶା ତୋର            ଅଦ୍ଭୁତ କ୍ଷମତା

ପଟାନ୍ତର ତାକୁ କାହିଁ,

କି ଔଷଧ ବଳେ            ଶୁଷ୍କ ପ୍ରାଣକୁ ତୁ

ମୁହୂର୍ତ୍ତେ ଦେଉ ଜୀଆଇ ।

ମରୀଚିକା ପ୍ରାୟ            ମନୋମୃଗକୁ ତୁ

ଭୁଲାଉ କରି ଛଳନା,

ଶୂନ୍ୟେ ଶୂନ୍ୟେ କାହିଁ      ଘେନି ଯାଇ ପୁଣି

ଶେଷେ କରିଦେଉ ବଣା ।

କିଛିକାଳ ପରେ            ପ୍ରସବିଲା ବାଳା

ସୁତ ସୁଲକ୍ଷଣବନ୍ତ,

ଅନନ୍ତ ପ୍ରସାଦୁ            ଜାତ ବୋଲି ପିତା

ନାମ ରଖିଲେ ଅନନ୍ତ ।

ଦିବ୍ୟ ପୁତ୍ର ଲଭି            କଲେ ସେ ଦମ୍ପତି

ଆନନ୍ଦ-ସଲିଳେ ସ୍ନାନ,

ଦୁଃଖେ ମ୍ରିୟମାଣ            ଜନ୍ମ ଅନ୍ଧ ଦୈବେ

ପାଇଲା କି ଚକ୍ଷୁଦାନ ।

ଅଥବା ଦରିଦ୍ର            ନିଧି ପାଇ ଯଥା

ମଣେ ପରମ ଆହ୍ଲାଦ,

କି ଅବା ଯେସନ            ବ୍ରହ୍ମଧ୍ୟାୟୀ ଯୋଗୀ

ଲଭି ବିଭୁ ପୁଣ୍ୟପାଦ ।

ଶଶିକଳା ବୃଦ୍ଧି            ସଙ୍ଗେ ଦିନୁ ଦିନୁ

ଯେସନ ବଢ଼େ ସାଗର,

ତନୟ ବୃଦ୍ଧିରେ            ବଢ଼ିଲା ତେସନ

ସ୍ନେହ ପିତାମାତାଙ୍କର ।

ସର୍ବ ସମ୍ପତ୍ତିରୁ            ସାର ଅଟେ ଏକା

ଜଗତେ ପୁତ୍ର ସମ୍ପତ୍ତି,

ଦେହରକ୍ଷା ପାଇଁ            ଆନ ଧନ, ପୁତ୍ର

ଧନେ ନର୍କୁ ଅବ୍ୟାହତି ।

ବଢ଼ିଲା ବାଳକ-            ପ୍ରତି ପିତୃସ୍ନେହ

ଅଗାଧ ସିନ୍ଧୁ ସମାନ,

କିନ୍ତୁ ତାହାଠାରୁ            ବଳି ମାତୃସ୍ନେହ

ସହସ୍ର ଗୁଣେ ମହାନ ।

ଅନ୍ଧଜନ ଯଥା            ଯଷ୍ଟିଖଣ୍ଡି ହସ୍ତେ

ଧରିଥାଏ ନିରନ୍ତର,

ଶୟନ ଭୋଜନ            କାଳରେ କଦାପି

ନ କରେ ପାଶୁ ଅନ୍ତର ।

ତଥା ଶଶିପ୍ରଭା            ପାଖରୁ ଅନ୍ତର

ନ କରେ କୁମରମଣି,

ତଳେ ଛଡ଼ା ହେଲେ       ଝୁରଇ ଆତୁରେ

ଯେହ୍ନେ ମଣିହରା ଫଣୀ ।

ନିଦ୍ରିତାବସ୍ଥାରେ            ସ୍ୱପନେ ଯଦ୍ୟପି

ନ ଦେଖଇ ପୁତ୍ରମୂଖ,

ଉଠି ବସେ ଖରେ            ଶିରେ ବଜ୍ରାଘାତ

ପ୍ରାୟ ମଣି ଘୋର ଦୁଃଖ ।

ବୟୋବୃଦ୍ଧି ସହ            ବଢ଼ିଲା କୁମର

ଅତିକ୍ରମି ବାଲ୍ୟସୀମା,

ଛାଡ଼ିଗଲା କ୍ରମେ            ପିତାମାତା ହୃଦୁ

ଦୁଃଖ-ତିମିର-କାଳିମା ।

ସ୍ୱଳ୍ପକାଳ ମଧ୍ୟେ            ହେବାରୁ ଅନନ୍ତ

ଜାତୀୟ ପାଠେ ନିପୁଣ,

ଯଥାକାଳେ ଆସି            ଆଶ୍ରିଲେ ହୃଦୟ

ବିନୟାଦି ଶୁଭଗୁଣ ।

ଶାସ୍ତ୍ରପାଠେ ସେହୁ            ତୋଷୁଥିଲା ସଦା

ଜନକଜନନୀ ଚିତ୍ତ,

ଧର୍ମେ ମତି ରଖି            ସାଧୁଥାଏ ପୁଣି

ପ୍ରାଣପଣେ ପରହିତ ।

ରୂପେ ଗୁଣେ ଶୀଳେ      ହେଲା ପୁତ୍ରମଣି

ପିତା ସମ ଅବିକଳ,

ରସାଳ ପାଦପେ            ଫଳିବ ବା କାହିଁ

କଷାୟ କେନ୍ଦୁକ ଫଳ ।

ଧାର୍ମିକ ପଣ୍ଡିତ            ଗୁଣୀ ପତିପୁତ୍ରେ

ଲଭି ଶଶିପ୍ରଭା ସତୀ,

ମହୋଲ୍ଲାସେ ମଣୁ-            ଥାଏ ଆପଣାକୁ

ନାରୀକୁଳେ ଭାଗ୍ୟବତୀ ।

ବଢ଼ି ଆସୁଥିଲା            ହୃଦ-ବନେ ତା’ର

ଦିନୁ ଦିନୁ ସୁଖ-ତରୁ,

କେ ଜାଣିଥିଲା ସେ            ଦୁଃଖ-ଝଞ୍ଜାବାତେ

ଉପୁଡିଯିବ ମୂଳରୁ ।

 

ତୃତୀୟ ସର୍ଗ

 

ଦିନେ ପୀତାମ୍ବର            ସାନ୍ଧ୍ୟକୃତ୍ୟ ସାରି

ଜପୁଥିଲେ ବସି ମାଳ,

ନିୟତିବଶରୁ            ଏ କାଳେ ତାହାଙ୍କୁ

ଆକ୍ରମିଲା       ଆସି କାଳ ।

ଶରୀର ଥରିଲା            ରୋମାଞ୍ଚିତ ହେଲା

ବଦନୁ ବହିଲା ଝାଳ,

ନମ୍ର ହେଲା କ୍ରମେ            ଗ୍ରୀବାଦଣ୍ଡ ଯଥା

ଅନିଳାଘାତେ ମୃଣାଳ ।

ପରିଜନେ ଯେତେ            ଉପଚାର କଲେ

ହେଲା ସବୁ ଅକାରଣ,

ଶୃଙ୍ଖଳୁ ଫିଟିଲେ            ମତ୍ତ ମତଙ୍ଗଜ

ମାନେ କି ଆଉ ବାରଣ ।

ଚାହୁଁ ଚାହୁଁ ଆହା            ଅଲକ୍ଷିତେ ଦେହ--

ପିଞ୍ଜରୁ ଜୀବନ-ପକ୍ଷୀ,

ଉଡ଼ିଗଲା ମାୟା-            ଶିକୁଳି ଛିଣ୍ଡାଇ

ଆଗତ ସ୍ଥାନକୁ ଲକ୍ଷି ।

ମହୂର୍ତ୍ତକେ ତନୁ            ଫିକା ପଡ଼ିଯାଇ

ଭଜିଲା ଧରଣୀ ତଳ,

ଶୋଷିନେଇ ଶଂସ            କାଳ-ଗଜ ଫିଙ୍ଗି-

ଦେଲା କି କଇଥ ଫଳ ।

ଅନ୍ତଃପୁର ମଧ୍ୟୁ            ସଘନେ ଉଠିଲା

କରୁଣ ବିଳାପ ଧ୍ୱନି,

ଧୈର୍ଯ୍ୟ-ଗଣ୍ଠିଛିଡ଼ା            ସେ ଧ୍ୱନି ଶୁଣିଲେ

ତରଳିଯିବ ଅଶନି ।

ପତିହୀନା ହୋଇ            ସତୀ ଶଶିପ୍ରଭା

ବିଳପିଲା ଉଚ୍ଚସ୍ୱରେ,

ହା ହା ପ୍ରାଣନାହା            କାହିଁ ଗଲ ମୋତେ

ଭସାଇ ଶୋକ-ସାଗରେ ।

ଉଚିତ କି ପ୍ରଭୁ            ଦାସୀ ପ୍ରତି ହେବା

ଅଦୋଷେ ଏଡ଼େ ନିର୍ଦ୍ଦୟ,

ସ୍ୱଚ୍ଛୋଦ କରୁଣା---            ନିର୍ଝରୁ ଝରେ କି

ନିରାଶ-ଆବିଳ ପୟ ।

ଅନ୍ତିମ ସମୟେ            ଇଷ୍ଟମନ୍ତ୍ର ତୁଲେ

ଜପି ଜପି ତୁମ୍ଭ ନାମ,

ପ୍ରାଣ ପରିହରି            ସେ ସୁକୃତି ଫଳେ

ଲଭିବି କୈବଲ୍ୟ ଧାମ ।

ହୃଦୟ-ଉଦ୍ୟାନେ            ରୋପିଥିଲି ଏହି

ସୁବର୍ଣ୍ଣ ଆଶା-ବଲ୍ଲରୀ,

କାଟିଦେଲା ଆହା            ସମୂଳେ ତାହାକୁ

କାଳ ବଲ୍ମୀକ ମତ୍ସରୀ ।

ଏତେ କୂଟ ମନେ            ଥାଉଁ କିପାଁ କଲ

ପ୍ରଣୟ-ଡୋରେ ବନ୍ଧନ

ଦୁଇ ଦିନ ପାଇଁ            ସମର୍ପିଥିଲି କି

ଶ୍ରୀପଦେ ଜୀବନମନ ।

ବୃଥା ମଣୁଥିଲି            ପରେ ଆପଣାର

ଉଲ୍ଲାସେ ଫୁଲାଇ ଛାତି,

ଦିନ ବୋଲି ଯାକୁ            ସ୍ୱପ୍ନେ ଦେଖୁଥିଲି

ସେ ସିନା ଉଆଁସ ରାତି ।

ଏହା ଜାଣିଥିଲେ            ହୋଇ ନ ଥା’ନ୍ତି ମୁଁ

ଆଶାର ପରିଚାରିକା,

ଦୁରୁ ଦେଖି ଯାକୁ            ମଣୁଥିଲି ଜଳ

ସେ ସିନା ମୃଗତୃଷ୍ଣିକା ।

ଧୂଳିଖେଳେ ମାତି            ହୁଡ଼ିଗଲି ଆହା

ମୂଳ ଦୀକ୍ଷାମନ୍ତ୍ର-ବୀଜ,

ବୃଥାରେ ସିନା ମୁଁ            ଆଚରୁଣଥିଲି

ଏ ଲାଭଶୂନ୍ୟ ବଣିଜ ।

ଜୀବିତ ଜୀବନେ            ହେଉଥାନ୍ତା ଯେବେ

ଗତାୟୁ ପ୍ରାଣ ସଞ୍ଚାର,

ଅକାତରେ ତେବେ            ସମର୍ପିଦିଅନ୍ତି

ମୁହିଁ ଏ ଜୀବନ ଛାର ।

ମୁଁ ମଲେ ମୋ ପରି            କେତେ ପରିବାରୀ

ମିଳନ୍ତେ ପ୍ରଭୁ ପୟରେ,

ସିନ୍ଧୁ ଆଶ୍ରା ସିନା            ଲୋଡ଼ନ୍ତି ସତତ

ସଜଳା ନଦୀନିକରେ ।

ହେ ନିଳାଦ୍ରିପତି            ଦୀନ ଜନ ପ୍ରତି

କିପାଇଁ ଏଡ଼େ ନିର୍ଦ୍ଦୟ,

ପୂରି ନାହିଁ କଳ୍ପ            ତେବେ କିପାଁ ପ୍ରଭୁ

ସୃଷ୍ଟିକୁ ନାଶେ ପ୍ରଳୟ ।

ଆସି ନାହିଁ କିଛି            ଏ ସଂସାରେ ମୁହିଁ

ତବ ପଦେ କରି ଅଳି,

ନିଜେ ଜନ୍ମଦାତା            ହୋଇ ଦେବ କିପାଁ

ବିହିଲ କଷ୍ଟ ଏଭଳି ।

ଏହି ବିଧି ପରା            ସୃଜି ଦୟାନିଧି

ବୋଲାଅ ଜଗତ ବିଧି,

ପ୍ରତାରଣା ପାଇଁ            ସ୍ୱପ୍ନେ ଅର୍ପ କିପାଁ

ଦରିଦ୍ର ହସ୍ତରେ ନିଧି ।

ଛାର ନାରୀ ହୋଇ            କେମନ୍ତ ବୁଝିବି

ଏ ତୁମ୍ଭ ଗୂଢ଼ କପଟ,

ନିଜେ ଅଧିକାର            ଦେଇ ଶେଷେ ପୁଣି

ଲଗାଅ ଭଗାରୀ ହଟ ।

ଏତିକି କେବଳ            ଲାଭ ସିନା ପ୍ରଭୁ

ଦୀନପ୍ରତି ହୋଇ ବାମ,

ଦୀନବନ୍ଧୁ ଆଖ୍ୟା            ବଦଳେ ବହିଲ

ଦୀନ-ପ୍ରପୀଡ଼କ ନାମ ।

ସ୍ୱାମୀ-ଶଶୀ ଦେଖି            କୁମୁଦିନୀ ପ୍ରାୟ

ଯାପୁଥିଲି ସୁଖେ କାଳ,

କେଡ଼େ ବେଗେ ଆହା       ଗ୍ରାସିଲା ସେ ସୁଖେ

ଦୁର୍ଭାଗ୍ୟ-ରାହୁ ଚଣ୍ଡାଳ ।

ଏହିପରି କାନ୍ଦି            ଲୋଟୁଥିଲା ବାଳା

ଯେସନେ      ଲୋଟଣୀ ପାରା,

ପ୍ରସ୍ରବଣ ପ୍ରାୟ            ଝରୁଥାଏ ନେତ୍ରୁ

ଅବିରଳ ଅଶ୍ରୁଧାରା ।

କାନ୍ଦୁ କାନ୍ଦୁ ତା’ର            ହୃଦୟ-ସାଗରୁ

କରାଳ ଶୋକ-ଲହରୀ,

ପ୍ରବଳ ବେଗରେ            ଉଠି ବୁଡ଼ାଇଲା

ଦଣ୍ଡକେ ଚେତନା-ତରୀ ।

କ୍ରମେ କ୍ରମେ ତହୁଁ            ଆକ୍ରମିଲେ ଆସି

ସାତ୍ତ୍ୱିକ ଶୋକ ସଙ୍ଗାତ,

ଏହିପରି ସିନା            ଦୁର୍ବଳ ପୀଡ଼ନେ

ଦକ୍ଷ ପ୍ରବଳର ହାତ ।

ସାତ୍ତ୍ୱିକ ପରଶେ            ସତୀ-ଶିରୋମଣି

ପୋତିଲା ତଳକୁ ମଥା,

ପ୍ରଭାତେ ମିହିର-            କିରଣ ପରଶେ

ସରେ କୁମୁଦିନୀ ଯଥା ।

ତଡ଼ିଦେଲା ସ୍ମୃତି            ଘଡ଼ିକେ ମୂର୍ଚ୍ଛାର

ମଧୁର ମାଦକ ନିଶା,

ସ୍ମୃତି, ମୂର୍ଚ୍ଛାବେନି            ମଧ୍ୟେ ସଦାକାଳେ

ଲାଗିଛି ଭଗାରୀ ହିଂସା ।

ମୂର୍ଚ୍ଛାତୁଲେ ଆହା            ଦୁଃଖୀର ସହାୟ

କେ ଅଛି ସଂସାରେ ଆଉ,

କେଉଁ ପଉରୁଷ            ଲାଭ ଆଶେ ସ୍ମୃତି

ସାଧେ ତାହା ସଙ୍ଗେ ଦାଉ ।

ପ୍ରତିବେଶୀ ଜନେ            ତୋଳି ଧରି କଲେ

ସଲିଳ ମୁଖେ ସେଚନ,

ଶୋକକ୍ଷୟ ପାଇଁ            ପ୍ରବୋଧି କହିଲେ

ମଧୁରେ ଧୀରେ ଏସନ,-

‘‘କିପାଇଁ ମାଆ ଲୋ       ଶୋକେ ଝୁରୁଅଛୁ

ଉପୁଜେ ଶୋକୁଁ ସନ୍ତାପ,

ତ୍ରିଦୋଷ ରୋଗୀର            ଅନ୍ତର୍ଦାହ ସିନା

ବଢ଼ାଏ ଅନଳତାପ ।

ଯେତିକି ଚାଳିବ            ତେତିକି ବଢ଼ିବ

ଶୋଚନା, କଳହ, କଣ୍ଡୁ,

ମୂର୍ଚ୍ଛାରୋଗେ ଅବା            ବିନାଶିବ କାହିଁ

ପ୍ରତୀବ୍ର ଅମଳ ଚଣ୍ଡୁ ।

ଅନିତ୍ୟ ସଂସାରେ            ସକଳ ଅନିତ୍ୟ

ଯଥା ବିଜୁଳି ଆଲୋକ,

ଏହା ଜାଣି ଶୁଣି            କିପାଇଁ ହୃଦୟେ

ପୋଷୁଅଛ ବୃଥା ଶୋକ ।

ଜନ୍ମିଲେ ମରଣ            ନିଶ୍ଚୟ ଘଟିବ

ଏ ଅଟେ ଶ୍ୱାଶତ ପ୍ରଥା,

ଜଗତେ କାହାରି            ଶକ୍ତିରେ ସେ ବିଧି

ହେବାର ନୋହେ ଅନ୍ୟଥା ।

ଆଜି ଯେ ବୀରେନ୍ଦ୍ର            ବୀର୍ଯ୍ୟ ପ୍ରତାପରେ

ଟଳମଳିପାରେ କ୍ଷିତି,

ନିୟତି ଶାସନେ            ହେଉଛି ସେ କାଲି

ଶମନପୁରେ ଅତିଥି      

ଯେଠାରେ ସଂଯୋଗ      ସେଠାରେ ଅଲକ୍ଷ୍ୟେ

ବିଯୋଗ ଅଛି ଅବଶ୍ୟ,

ପାଣି ଫୁଟୁକାର            ସମାନ ସିନା ଏ

ମାୟା ସଂସାର ରହସ୍ୟ ।

ଚିରଜୀବୀ କେହି            ନୁହନ୍ତିଟି ଭବେ

କିଛିହିଁ ନୁହଇ ଚିର,

ଯଥାକାଳେ ଲୀନ            ହୋଇଯିବ ପଞ୍ଚ-

ଭୂତେ ଭୌତିକ ଶରୀର ।

ଯେକାଳେ ପ୍ରାଣୀଏ            ବିଶ୍ୱାତ୍ମା ସମୀପୁଁ

ଆସିଲେ ଏହି ସଂସାରେ,

ସଂସାରେ ନୁହେଁ ସେ       ଆସିଲେ ସେ କାଳ

ଶମନର ଅଧିକାରେ ।

ଭବ-ପାରାବାରେ            ମାୟା-ଭଉଁରୀରେ

ଘୂରି ଘୂରି କେତେ ଦିନ,

କର୍ମ ଅନୁସାରେ            ଫଳ ଭୁଞ୍ଜି ଶେଷେ

କାଳଗର୍ଭେ ହେବେ ଲୀନ ।

ଯକ୍ଷପତି ସମ            ସଙ୍ଗତି ସମ୍ପନ୍ନ

ରତ୍ନେ ଯା ଅଙ୍ଗ ଭୂଷିତ,

ସମୟ ଗତିରେ            ହେବ ସେହି ଦିନେ

କାଳତୁଣ୍ଡେ କବଳିତ ।

ଭିକ୍ଷାଝୁଲି କାନ୍ଧେ            ଘେନି ଯେ ଭିକ୍ଷାଶୀ

ଦ୍ୱାରେ ଦ୍ୱାରେ ବୁଲେ ଯାଇ,

କାଳ ପୂର୍ଣ୍ଣ ହେଲେ            ଜୀବନ ତାହାର

ଘେନିଯିବ ପ୍ରେତସାଇଁ ।

ଅନ୍ନବସ୍ତ୍ର ଦାନେ            ସତ୍କାରେ ଅତିଥି

ନିତି ନିତି ଯେଉଁ କୃତୀ,

ତା ପୁଣ୍ୟ ଶରୀର            ହେବ ଦିନେ ଆହା

ଚିତା-କୁଣ୍ଡେ ପୂର୍ଣ୍ଣାହୁତି ।

ଘୂରୁଛି କରାଳ            କାଳଚକ୍ର ସଦା

ସମସ୍ତଙ୍କ ଶିରୋପରେ,

ଭବିତବ୍ୟ ଫଳ            ନୋହିବ ଅନ୍ୟଥା

କଦାଚ କାହା ବଳରେ ।

ବ୍ୟର୍ଥ ବେଦନାରେ            ଘାରିହେଉ କିପାଁ

ନ ବୁଝି ସଂସାର ଗତି,

ବିଚାର ଦେଖ ତୁ            ପିତାମାତା ତବ

କାହିଁଛନ୍ତି ଗୁଣବତି ?

କାହିଁଗଲେ ଆହା            ଉତ୍କଳ-ଗୌରବ

କେଶରୀ ବଂଶ-କେଶରୀ,

ଯଯାତି, ଲଲାଟ,            ମରକତ ଆଦି

ମାତୃଅଙ୍କ ଶୂନ୍ୟ କରି ।

ପବିତ୍ର ଜାହ୍ନବୀ-            ବଂଶ-ଅବତଂସ

ଗଙ୍ଗେଶ୍ୱର ମହୀପାଳ,

ଗଙ୍ଗା ଗୋଦାବରୀ            ମଧ୍ୟେ ଉଡ଼ୁଥିଲା

ଯାହାଙ୍କ ଜୟ-ଚିରାଳ ।

ନରେନ୍ଦ୍ର-ବାଞ୍ଛିତ            ଗୁଣେ ବିଭୂଷିତ

ନୃପତି ଅନଙ୍ଗଭୀମ,

ନୀଳାଚଳ ଧାମେ            ବିରାଜେ ଯାହାଙ୍କ

କୀର୍ତ୍ତିରାଜି ଅପ୍ରତିମ ।      

ଶତ୍ରୁ ଦର୍ପହାରୀ            ବୀରେନ୍ଦ୍ର ମଉଳି-

ମୁକୁଟ-ଭୂଷଣ-ହୀର

ନରସିଂହ ଦେବ,            ତୋଳାଇଲେ ଯେହୁ

କୋଣାର୍କେ ଅର୍କମନ୍ଦିର ।

ଯହିଁରେ ଉତ୍କଳ-            ଶିଳ୍ପୀ ଦେଖାଇଲେ

ଶିଳ୍ପବିଦ୍ୟା ଶେଷସୀମା,

ପୁରାକାଳେ ଊଣା            ଥିଲା କି କାହିଁରେ

ଉତ୍କଳମାତା-ମହିମା ।

ଭାସିଯାଇଅଛି            କାଳସ୍ରୋତେ ବହୁ-

ଦିନୁଁ ସେ ମନ୍ଦିର ସତ୍ତା,

ଭଗ୍ନ ମୁଖଶାଳା            ଦେଖାଉଛି ଏବେ

ପାନ୍ଥେ ଭବ-ନଶ୍ୱରତା ।

ବୈଷ୍ଣବଧର୍ମର            ପ୍ରଭାବୃଦ୍ଧିକାରୀ

ପ୍ରତାପୀ ପ୍ରତାପରୁଦ୍ର,

ବୈଷ୍ଣବୀ ଭକ୍ତିରେ            ସମ ଏକା ଯାଙ୍କୁ

ପରମ ବୈଷ୍ଣବ ରୁଦ୍ର ।

ଯାହାଙ୍କ ଆଜ୍ଞାରେ            ବୈତରଣୀ ବକ୍ଷେ

ମନ୍ଦିର ହେଲା ପ୍ରସ୍ତୁତ,

ଯେ ମନ୍ଦିରେ ମୁଦେ            ବସନ୍ତି ଅଦ୍ୟାପି

ବରାହରୂପୀ ଅଚ୍ୟୁତ ।

ଶ୍ରୀମୁକୁନ୍ଦ ଦେବ            ଉତ୍କଳ ଖଣ୍ଡର

ଶେଷ ସ୍ୱାଧୀନ ସମ୍ରାଟ,

ବଙ୍ଗେ ଯାହାଙ୍କର            ମୂର୍ତ୍ତିମତୀ କୀର୍ତ୍ତି

ବିରାଜେ ତ୍ରିବେଣୀ ଘାଟ ।

ଏହିପରି କେତେ            ମହାତ୍ମାଏ ଗଲେ

କାଳ ତରଙ୍ଗରେ ମିଶି,

ଗତଜୀବ ଲାଗି            ବୃଥା କିପାଁ ସତି

ଶୋକ କରି ଦିବାନିଶି ।

ସ୍ରୋତେ ଦୁଇ ଖଣ୍ଡି            କାଷ୍ଠ ଭାସି ଆସି

ମିଶିଯାଏ ଅକସ୍ମାତ,

ମୁହୂର୍ତ୍ତକ ପରେ            ଅଲଗା ତାହାକୁ

କରିଦିଏ ପୁଣି ବାତ       ।

ଏହିପରି ସିନା            ଭବାର୍ଣ୍ଣବେ ସର୍ବ-

ପରିଜନ ସମାଗମ,

ଅହୋ କି ଅଦ୍ଭୁତ            ଏହା ଜାଣି ପ୍ରାଣି-

ହୃଦ ନ ତୁଟଇ ଭ୍ରମ ।

ଜନନୀ ପିଅର            ପତିପୁତ୍ର ପୁଣି

ଆଉ ଯେତେ ପରିବାର,

ମନେ ବିଚାରିଣ            ଦେଖ ସୁଲୋଚନେ

ନୁହନ୍ତି କେହି କାହାର ।

କ୍ଷଣିକ ସଂଯୋଗ            ସଦା ବିଭିନ୍ନତା

କାହାକୁ ନାହିଁ ଅଜଣା,

ତଥାପି ମାନବେ            ସଂସାର କୁହୁକେ

ପଡ଼ି ହେଉଛନ୍ତି ବଣା ।

କେ କାହାର ପତି            କେ କାହାର କନ୍ୟା

କେ ପୁଣି କାହା ତନୟ,

ପଥିକ ପରାୟେ            ଭବପାନ୍ଥଧାମେ

ପରେ ପରେ ପରିଚୟ ।

ଆପଣା ଶରୀର            ରଖିବାକୁ ମଧ୍ୟ

ନାହଁ ଶକ୍ତି ଆପଣାର,

ପର ଲାଗି ତେବେ            ଶିରେ ବହୁ କିପାଁ

ବ୍ୟର୍ଥ ଯନ୍ତ୍ରଣାର ଭାର ।

ଶୋକ ପରିହରି            ଧୈର୍ଯ୍ୟ ଅବଲମ୍ବି

ସୁନିଶ୍ଚଳ କର ମତି,

ବୃଥା ଶୋକେ ଆଉ            ଗତ ଆତ୍ମା କାହଁ

ବାହୁଡ଼ି ଆସିବ ସତି !

 

ଚତୁର୍ଥ ସର୍ଗ

 

ଏହିପରି କେତେ            ରୂପେ ପ୍ରବୋଧିଲେ

ଜ୍ଞାତିପ୍ରତିବେଶିଗଣ,

କିନ୍ତୁ ସେ ସକଳ            ପ୍ରୟାସ ତାଙ୍କର

ହେଲା ମାତ୍ର ଅକାରଣ ।

ଜ୍ଞାନ-ଅସ୍ତ୍ରେ ବାଳା            ଭବ-ବନ୍ଧନକୁ

ହେଳେ ପକାଇଲା କାଟି,

ପୂର୍ବେ ସୁନା ବୋଲି            ମଣୁଥିଲା ଯାକୁ

ଏବେ ସେ ଦିଶିଲା ମାଟି ।

ଯେ କୁମରେ ତିଳେ            ନ ଦେଖିଲେ ମଣେ

ଦଶଦିଗ ଅନ୍ଧକାର,

ଅଲକ୍ଷ୍ୟେ ତା’ଠାରୁ            ବାତ୍ସଲ୍ୟ ମମତା

କରିନେଲା ପ୍ରତ୍ୟାହାର ।

ସୁମତି-ମୁକୁରେ            ଦେଖିଣ ସମ୍ମୁଖେ

ନଶ୍ୱରତା ପ୍ରତିଚ୍ଛାୟା ।

ହୃତଗତେ ବାଳା            ଭାଳିଲା ଏସନ

ଉପେକ୍ଷି ସକଳ ମାୟା ।

ବୃଥା ସିନା ମୁହିଁ            ଶୋକେ ଝୁରି ଝୁରି

ବଢ଼ାଉଛି ମୋହଭାର,

ଶୋକ-ବୀଚି ଆଶ୍ରେ            କେ କାହିଁ ତରିଛି

ଭବ-ମହାଅକୂପାର ।

କର୍ମମୟ ଭବ            କର୍ମକ୍ଷେତ୍ର ସିନା

ନିଖିଳ ପ୍ରାଣିକୁଳର,

ଚିର ବିଶ୍ରାମର            ଆଶ୍ରମ ବୋଲିଣ

ମଣେ ତା’କୁ ଭ୍ରାନ୍ତ ନର ।

ସନ୍ତାପିତ ପ୍ରାଣ            ଭବ ଉଷ୍ଣଜଳେ

ହେବାର ନୁହେଁ ଶୀତଳ,

ଶମଇ ସିନା ତା            ନିତ୍ୟଧାମଧର୍ମ-

ବିଶଦ ବାରି କେବଳ ।

ନିରଙ୍କୁଶ ଆଶା-            ପିପାସା ତ କେବେ

ନୁହଇ ମନୁ ନବାରି,

ଯେତେ ନିବାରିଲେ            ପଛୁ ଧରି ମାୟା

ଅଲକ୍ଷ୍ୟେ ନିଏ ଓଟାରି ।

ଇହପରକାଳେ            ପତିପଦସେବା

ନାରୀର ପରମ ଧର୍ମ,

ପତିହୀନା ହୋଇ            ବୃଥା ପ୍ରାଣ ଧରି

ଅରଜିବି କେଉଁ କର୍ମ ।

ପତି ମୋର ପ୍ରାଣ            ପତି ମୋର ଧ୍ୟ୍ୟାନ

ପତି ମୋ ଜ୍ଞାନ ମୁକତି,

ପତି ଇହକାଳ            ପତି ପରକାଳ

ପତି ମୋ ପରମ ଗତି ।

ପତିସେବା ପାଇଁ            ଯିବି ପରଲୋକେ

ତାଙ୍କ ପଦ ଅନୁସରି,

ଘଟିଲା ତାହାଙ୍କ            ଭାଗ୍ୟେ ଯେଉଁ ଦିଶା

ସେ ଦଶା ଧ୍ରୁବ ମୋହରି ।

ଅସାର ସଂସାର            ସୁଖ ପ୍ରତି ତିଳେ

ନାହିଁ ଆଉ ମୋର ମାୟା,

ସୁଖ ବୋଲି ଯାକୁ            ବୋଲନ୍ତି ସେ ସିନା

ଦୁଃଖର ଦାରୁଣ ଛାୟା ।

ଦୟିତ ହରାଇ            ପ୍ରାଣରଙ୍କ ହେବି

ସେ ସୁଖରେ କେଉଁ ଫଳ,

ଘନଧାରାପାୟୀ            ଚାତକିନୀ କେବେ

ଲୋଡ଼େ ପଲ୍ୱଳ ଜଳ ।

ଆଜି ମଧ୍ୟାହ୍ନରେ            ଖେଳୁଥିଲା ମୋର

ପୁରେ ଆନନ୍ଦ-କଲ୍ଲୋଳ,

ଦିନାନ୍ତେ ସେ ପୁରୁ            ଉଠୁଅଛି ଆହା

ଶୋକର କରୁଣ ରୋଳ ।

ଏହିପରି ଦଗ୍‍ଧ            କ୍ଷଣସ୍ଥାୟୀ ସୁଖେ

ପରିପୂର୍ଣ୍ଣ ଭୂମଣ୍ଡଳ,

ସୁଧା ବୋଲି ତାକୁ            ଭ୍ରମେ ମଣେ ନର

କିନ୍ତୁ ସେ ତୀବ୍ର ଗରଳ ।

ପରିଦୃଶ୍ୟମାନେ            ଏ ବିଶ୍ୱ ଭୁବନ

କେବଳ ମିଥ୍ୟା କଳ୍ପନା,

ନାସ୍ତିତ୍ୱେ ଅସ୍ତିତ୍ୱ            ଆରୋପଣ ସିନା

ମାୟାର ଖାଲି ଛଳନା ।

ଆକାଶର ବର୍ଣ୍ଣ            ନ ଥିଲେହେଁ ତାହା

ଦିଶେ ଯଥା ଗାଢ଼ ନୀଳ,

ସେରୂପେ ଅରୂପ            ହୋଇ ରୂପବନ୍ତ

ଦିଶେ ଏ ଭବ ଅଖିଳ ।

ଅନିତ୍ୟ ସସାଂରେ            ନିତ୍ୟସୁଖ ଯେହୁ

କରୁଥାନ୍ତି       ଅନ୍ୱେଷଣ,

ଜଳଭ୍ରମେ ସିନା            କରନ୍ତି ସେ ମୂଢ଼େ

କୁହୁଡ଼ିରେ ସନ୍ତରଣ ।

ନାହିଁ ଯେ ସ୍ଥାନରେ            ଦ୍ୱେଷ, ହିଂସା, ବ୍ୟାଧି,

ଜରା, ମୃତ୍ୟୁ, ଶୋକ, ଭୟ,

ମାନବାତ୍ମା ତହିଁ            ଭଜଇ ବିଲୟ

ସେହି ସ୍ଥାନ ସଖମୟ ।

ଚାହୁଁ ଚାହୁଁ ଆସି            ଭୋଗ ହୋଇଗଲା

ଯାମିନୀ ପ୍ରଥମ ଯାମ

ଦିବସ ଚହଳ            ଜନ-କୋଳାହଳ

ଲଭୁଛି କ୍ରମେ ବିରାମ ।

ଶୁଭିଲା ଚୌଦିଗୁ            ନିଶି-ଯାମଘୋଷୀ

ଫେରବ ଭୈରବ ରବ,

କୁହାଟିଲେ କିବା            ରଜନୀ-ରାଣୀଙ୍କ

ପ୍ରତିହାରିବର୍ଗ ସର୍ବ ।

ତରୁଶାଖେ ବସି            ଡେଣା ଝାଡ଼ି ଝାଡ଼ି

ରଟିଲେ ଉଚ୍ଚେ କୌଶିକେ,

ଯାମିନୀ-ଝୁଣ୍ଟିଆ            ପରି ଝୁଣୁଝୁଣୁ

ନିଃସ୍ୱନେ ସ୍ୱନିଲେ ଝିଙ୍କେ ।

ସଧୀରେ ଶୀତଳ            ସମୀର ସଞ୍ଚରେ

ପୁଷ୍ପ ପରିମଳ ହରି,

ଏହିରୂପେ ବଳେ            ହରିନିଏ ସିନା

ଦୁର୍ବଳ ବିତ୍ତ ମତ୍ସରୀ       ।

ରତ୍ନଦୀପ ପ୍ରାୟେ            ଜଳୁଛନ୍ତି ନଭେ

ତରଳତାରକାବାର,

କୋଟି ନେତ୍ର ଫେଡ଼ି      ଦେଖୁଛନ୍ତି ପରା

ଅମରେ ମର୍ତ୍ତ୍ୟ ବେଭାର ।

କେତେ ବୁଡ଼ୁଛନ୍ତି             କେତେ ଉଠୁଛନ୍ତି

ଭଜନ୍ତି କେତେ ବିଲୟ,

କବି ହୃଦୟରେ            ଲାଗିଥାଏ ଯଥା

ଭାବରାଶି ଅଭିନୟ ।

ନୀରବତା ବୃଦ୍ଧି            ସଙ୍ଗେ ସାଇଁ ସାଇଁ

ଗଭୀରେ ଡାକେ ଆକାଶ,

ପତି-ବିରହିଣୀ            କମଳିନୀ ଅବା

ଛାଡ଼େ ଶୋକ ଖରଶ୍ୱାସ ।

ଗଭୀର ଅନ୍ଧାର            ଗର୍ଭେ ବୁଡ଼ିଗଲା

ଜଳ ସ୍ଥଳ ମହୀରୁହ,

ଥାଉ ଆନ ସେହି            ନିବିଡ଼ ତାମସେ

ନ ଦିଶେ ମୁହଁକୁ ମୁହଁ ।

ଶସ୍ୟ-ସୁଶ୍ୟାମଳା            ଧରଣୀ-ରାଣୀକି

ଦିବାକର ଅଦର୍ଶନେ,

ଢାଙ୍କିଛନ୍ତି ଦେହ            ଶୋକଚିହ୍ନବ୍ୟଞ୍ଜୀ

ମଳିନ କୃଷ୍ଣ ବସନେ ।

ଉଲାମୁଖୀ ଶିବା            ନଦୀକୂଳେ, ବିଲେ,

ପ୍ରାନ୍ତରେ ଜାଳିଲେ ନିଆଁ,

ଯା ଦେଖି ଡାଆଣୀ            ଆଲୁଅ ଭ୍ରମରେ

ଡରେ ଥରେ ପାନ୍ଥହିଆ ।

ଖଦ୍ୟୋତପଟଳୀ            ଅଙ୍କିଯାଉଛନ୍ତି

ଗଗନେ ଆଲୋକ ରେଖା,

ଘୋର ନିରାଶାରେ            ଭଙ୍ଗୁରାଶା ଯଥା

ଦିଏ କ୍ଷଣେ କ୍ଷଣେ ଦେଖା ।

ଆତ୍ମ ଅନୁକୂଳା            ରଜନୀକୁ ଜାଣି

କିବା ସେ ହରଷଭରେ,

ସୁବର୍ଣ୍ଣ କାଳିରେ            ଲେଖନ୍ତି ତା’ ଦୁହା

ନଭୋରୂପୀ କାକତରେ ।

ଗୁପ୍ତସ୍ଥାନ ତେଜି            ବୁଲିଲେ କ୍ଷୁଧାର୍ତ୍ତ

ରାତ୍ରିଚର ଜୀବଗଣ,

ପ୍ରବଳ ଜନ୍ତୁଏ            ଦୁର୍ବଳେ ଅନ୍ୱେଷି

କଲେ ବ୍ୟଗ୍ରେ ଆକ୍ରମଣ ।

ଦଣ୍ଡକେ ଘଡ଼ିକେ            ଆକ୍ରାନ୍ତ ଜୀବର

ଶୁଭେ କରୁଣ ଚିତ୍କାର

ପ୍ରବଳ ଦୁର୍ବଳ            ଘୋର ସଂଘର୍ଷଣେ

ପୂର୍ଣ୍ଣ ସିନା ଏ ସଂସାର ।

ଏ କାଳେ ଜ୍ଞାତିଏ            ଆଚ୍ଛାଦିଣ ଶବେ

ଶୁଆଇ କୁପଣ ରଥେ,

କାନ୍ଧେ ଘେନି ତାହା            ହରିଧ୍ୱନି କରି

ଗମିଲେ ଶ୍ମଶାନ ପଥେ ।

ଦିହୁଡ଼ି ହସ୍ତରେ            ଚାଲିଲେ ଭଣ୍ଡାରୀ

ଆଗେ ଆଗେ ବେନି ପାଶେ,

ଅପର ଜ୍ଞାତିଏ            ଚାଲିଛନ୍ତି ପଛେ

କାନ୍ଦି କାନ୍ଦି ଶୋକୋଚ୍ଛ୍ୱାସେ ।

କିଛିକ୍ଷଣ ପରେ            ଶବବାହୀ ଜନେ

ଶ୍ମଶାନେ ଶବଶିବିକା,

ଓହ୍ଲାଇ ଥୋଇଲେ            ମହାଖେଦେ ନେତ୍ରୁ

ବିସର୍ଜି ଅଶ୍ରୁକଣିକା ।

ଜୁଇଗାତ ଖୋଳି            ଚନ୍ଦନାଦି ପଞ୍ଚ

କାଷ୍ଠେ ସଜାଡିଲେ ଚିତା,

ସ୍ନାନାନ୍ତେ ଶବକୁ            ପିନ୍ଧାଇଲେ ଆଣି

ନୂତନ ବସ୍ତ୍ର ପଇତା ।

ବର ପ୍ରାୟେ ତାହା            ଶରୀରେ ଚନ୍ଦନ

ବୋଳିଦେଲେ ବହୁଳରେ,

ଶୁକ୍ଳ ଉତ୍ତରୀୟ            ଶୁକ୍ଳ ପୁଷ୍ପହାର

ଲମ୍ବାଇଲେ ଗଳେ ଖରେ ।

ଝଟକି ଉଠିଲା            ଗତାୟୁ ଶରୀର

ଜୀବିତ ଜନ ପ୍ରକାର,

ଛିଣ୍ଡିଯାଇଅଛି            ଖାଲି ସିନା ଏକା

କଣ୍ଠ-ବୀଣାବାଦ୍ୟ-ତାର ।

ଅଗ୍ନି ପ୍ରଦକ୍ଷିଣ            କରାଇଣ ଶବେ

ଥୋଇଲେ ଚିତା ଉପରେ,

ଚଡ଼ ଚଡ଼ ଶବ୍ଦ            ସୃଜି ହୁତାଶନ

ଉଠିଲା ଜଳି ପ୍ରଖରେ ।

ଏସନ ସମୟେ            ସତୀ ଶଶିପ୍ରଭା

ହେବାପାଇଁ ସହମୃତା,

ଦ୍ରୁତ ପଦକ୍ଷେପ            ଶ୍ମଶାନାଭିମୁଖେ

ହେଲା ପୁରୁ ବହିଷ୍କୃତା ।

ଅନ୍ଧକାର ଭେଦି            ଚାଲୁଅଛି ବାଳା

ସାଧସ୍ୱଶୂନ୍ୟ ଅନ୍ତରେ,

ଉଜ୍ଜ୍ୱଳି ଉଠୁଛି            ଗନ୍ତବ୍ୟ ସରଣୀ

ରୂପ ପ୍ରଭାଚହଟରେ ।

ଖେଳିଯାଉଛି କି            ବିଶ୍ୱ-ଶୋଭାରାଣୀ

ଘନକୋଳେ ଘନଦାରା,

ଅବା ବାରାନିଧି            ନୀଳୋରସେ ବହେ

ବାଡ଼ବ ଅନଳଧାରା ।

ପତି ସହଗତା            ହେବେ ଶଶିପ୍ରଭା

ଶୁଣି ଏହା ନାଗରିକେ,

ସେ ଅଦ୍ଭୁତ ଦୃଶ୍ୟ            ଦଶନ ଆଶୟେ

ଧାଇଁଲେ ଶ୍ମଶାନାନ୍ତିକେ ।

ଉତ୍କଣ୍ଠିତ ହୃଦେ            ଧାଇଁଛନ୍ତି ସର୍ବେ

ବାଳବୃଦ୍ଧ ଯୁବନାରୀ,

ଅନ୍ଧକାରେ ପଥ            ଚାଲିବାକୁ       ଆଜି

ନ ହୁଏ ଭୟ କାହାରି ।

କହି କହି ଯାନ୍ତି            ବାଷ୍ପାକୁଳ କଣ୍ଠେ

ଆହା ମାତଃ ଶଶିପ୍ରଭେ,

ସତେ ପତି ସଙ୍ଗେ            ଚାଲିଯିବ କି ମା

ଛାଡ଼ି ଏ ପଡ଼ୋଶୀସର୍ବେ ।

ଗ୍ରାମଲକ୍ଷୀ ତୁମ୍ଭେ            ଥିଲ ଏ ଗ୍ରାମର

ଛାଡ଼ିଯିବ ଯେବେ ମାତଃ,

ଖୋଜି ଖୋଜି କିଏ       ଭୁଞ୍ଜାଇବ ଅନ୍ନ

ଦୀନ ଦରିଦ୍ର ଅନାଥ ।

ଏ ଗ୍ରାମ ଗୋଟାରେ            କିଏ ନୁହଁ ମା ଗୋ

ତୁମ୍ଭ ଗୁଣ-ଧନେ ଋଣୀ,

କି କହବୁଁ ଦେବି !            ହାଣି ହୁଏ ହୃଦ

ତୁମ୍ଭ ମହାଯାତ୍ରା ଶୁଣି ।

ଏସନ ପ୍ରଳପି            ଧାଇଁଛନ୍ତି ସର୍ବେ

ନିର୍ଭୟେ ଶ୍ମଶାନ ଆଡ଼େ,

ଉତ୍କଣ୍ଠା ଯା ହୃଦ            ଅଧିକାର କରେ

ଭୟ ତାକୁ ବାଟ ଛାଡ଼େ ।

କିଛିକ୍ଷଣ ପରେ            ଶ୍ମଶାନେ ପ୍ରବେଶି

ଶଶିପ୍ରଭା ସୁଲକ୍ଷଣା,

ଦାନଯୋଗ୍ୟ ଦୀନ            ଦ୍ୱିଜେ ଦାନ କଲା

ଦେହରୁ ଫେଡ଼ି ଗହଣା ।

ସ୍ୱଚ୍ଛ ପୟସ୍ୱିନୀ            ସାଳନ୍ଦୀ ସଲିଳେ

ଅବଗାହି ଆର୍ଦ୍ରବାସେ,

ଉଭା ହୋଇ ଯୁକ୍ତ-            କରେ ସ୍ତବ କଲା

ଅଗ୍ନିଦେବେ ଚିତା ପାଶେ ।

“ନମୋ ବାୟୁସଖା            ପ୍ରଚଣ୍ଡ ତେଜସ୍ୱୀ

ନମସ୍ତେ ଛାଗବାହନ,

ନମୋ ସର୍ବଭକ୍ଷ            ନମୋ ଧୂମଧ୍ୱଜ

ନମ ସ୍ୱାହା-ପ୍ରାଣଧନ ।

ତମୋଗୁଣଧାରୀ            ଅଟ ଦେବ ତୁମ୍ଭେ

ସର୍ବଦେବତାଙ୍କ ମୁଖ,

ତବ ମୁଖେ ହବି            ଦେଲେ ଦେବତାଏ

ଲଭନ୍ତି ପରମ ସୁଖ ।

ସକଳ ପଦାର୍ଥେ            ବିଦ୍ୟମାନ ତୁମ୍ଭେ

କି ସ୍ଥାବର କି ଜଙ୍ଗମ,

ତବ ସ୍ପର୍ଶେ ପୂତ            ହୁଅନ୍ତି ସକଳେ

ଶକ୍ତି ତବ ଅନୁପମ ।

ଏତିକି ମାଗୁଣି            ଶ୍ରୀପଦେ ଦାସୀର

ପ୍ରକାଶି ସୁ-ଅନୁଗ୍ରହ,

ପବିତ୍ର କର ମୋ            ଆତ୍ମାକୁ ପାବନ,

ମୋ ବଲ୍ଲଭ ଆତ୍ମା ସହ ।

ବିଶ୍ୱାତ୍ମା ଶ୍ରୀପଦେ            ମିଶିଯାଉଁ ଆମ୍ଭ

ଦମ୍ପତି ଆତ୍ମାଯୁଗଳ,

ମିଶିଯାଏ ଯଥା            ତୁମ୍ଭ ବିଶ୍ୱରୂପେ

ଅପର ପ୍ରଭା ସକଳ ।’’

ଏହିରୂପେ ବାଳା            ସ୍ତବି ବୈଶ୍ୱାନରେ

ଚାହିଁ ସମବେତ ଜନେ

ନମସ୍କାର କରି            ଭାଷିଲା ଏସନ

ବିନୟମିଶା ବଚନେ,-

“ରଖିଥିବ ମନେ            ଦୁଃଖନୀକୁ ସର୍ବେ

ମାଗୁଛି ଚିର ମେଲାଣି,

ଦୋଷ ଥିଲେ କ୍ଷମା            ଆଚରିବି ଚିତ୍ତେ

କ୍ଷମାପାତ୍ରୀ ମୋତେ ଜାଣି ।

ଲାଗିଲା ତୁମ୍ଭଙ୍କୁ            ଅନନ୍ତ ମୋହର

ନୟନାନନ୍ଦବର୍ଦ୍ଧନ,

ମୋ ପ୍ରତି ଯେ ସ୍ନେହ            ଥିଲା ସେହି ସ୍ନେହେ

କରିବ ତାକୁ ପାଳନ” ।

ଶୁଣିଣ ଅନନ୍ତ            ମାତାଙ୍କର ଏହି

ସସ୍ନେହ କରୁଣାବାଣୀ;

ଅସହ୍ୟ ଖେଦରେ            ବହାଇଲା ନେତ୍ରୁ

ଦ୍ୱିଗୁଣ ଲୋତକ ପାଣି ।

ଅବିସ୍ମୃତ ମାତୃ-            ସ୍ନେହ ଗତ ସ୍ମୃତି

ଛିଣ୍ଡାଇଣ ଧୈର୍ଯ୍ୟଗ୍ରନ୍ଥି,

ପ୍ରବଳ ବେଗରେ            ହୃଦ-ସରୋବରେ

ପକାଇଲା ତାର ମନ୍ଥି ।

କହିବାକୁ କିଛି            ଇଚ୍ଛିଲା ଅନନ୍ତ

ମାତ୍ର ନ ପାରିଲା କହି,

ସହସ୍ର ଫଣାରେ            ମର୍ମସ୍ଥଳେ ତାର

ଦଂଶିଲାକ ଶୋକ-ଅହି ।

ତ୍ରିବଳି ଉଦ୍ଗମ            ଛଳେ ଭାଲେ ତାର

ପଡ଼ିଲା ବିଷାଦ ରେଖା,

ନୈରାଶ୍ୟ-ପିଶାଚ            ନୀରବ କୁହାଟ

କରିଦେଲା ତାକୁ ଭେକା ।

ଏଣେ ଶଶିପ୍ରଭା            ସତୀ-ଶିର-ଗଭା

କରି ଚିତା ପ୍ରଦକ୍ଷିଣ,

ସଚନ୍ଦନ ପୁଷ୍ପ            ଅଞ୍ଜଳି ଅଞ୍ଜଳି

ଅନଳେ ଦେଲା ଅର୍ପିଣ ।

ନମସ୍କାର କରି            ନାରାୟଣ ନାମ

ଉଚ୍ଚାରିଣ ବାରମ୍ବାର,

ଚିତା ମଧ୍ୟେଁ ଯାଇ            ସ୍ୱାମି-ପଦପ୍ରାନ୍ତେ

ବସିଲା ରମଣୀସାର ।

ସମବେତ ଜନେ            ଉଚ୍ଚେ ଉଚ୍ଚାରିଲେ

ହରିବୋଲ ହୁଳହୁଳି,

ଦିଗ ବିଦିଗରେ            ପ୍ରତିଧ୍ୱନି ତାର

ଉଠିଲା ଘନେ ଉଛୁଳି ।

ଢାଳିଦେଲେ ଘଡ଼ା            ଘଡ଼ା ଗବ୍ୟଘୃତ

ଚିତାକୁଣ୍ଡେ ପରିଜନେ,

ପ୍ରଜ୍ୱଳି ଉଠିଲା            ପ୍ରଖରେ ଅନଳ

ଗରଜି ଘୋର ଗର୍ଜନେ ।

ଅନଳ ପରଶେ            ଉଜ୍ଜ୍ୱଳି ଉଠିଲା

ସେ ବେନି ଦମ୍ପତି ତନୁ,

ସୁବର୍ଣ୍ଣ ମଞ୍ଚରେ            ବିରାଜନ୍ତି କିବା

ରତି ସଙ୍ଗେ ଫୁଲଧନୁ।

ଅବା ବସିଛନ୍ତି            ହେମ-ବେଦିକାରେ

ବରକନ୍ୟା ଦୁଇ ଜଣ,

ହୋଇ ଅଛି ଅଗ୍ନି-            ଶିଖା ବେନିଙ୍କର

ମୁକୁଟ ଶିରୋଭୂଷଣ ।

ବିବାହ ବନ୍ଧନ            ମନ୍ତ୍ର ହେଲା ତହିଁ

ହରିବୋଲ ହୁଳହୁଳି,

ଛାୟାମଣ୍ଡପ ସେ            ଚିତା ପରେ ଯେଁଉ

ବୃକ୍ଷେ ପଡ଼ିଥିଲେ ଝୁଲି ।

କପୂର ଗୁଗ୍ଗୁଳ            ଚିତାକୁଣ୍ଡେ ଯାହା

ହେଲା ସପୁଷ୍ପ ଅର୍ପିତ,

ବରକନ୍ୟା ଶିରେ            ଦୁର୍ବାକ୍ଷତ ଅବା

ନିକ୍ଷେପନ୍ତି ପୁରୋହିତ ।

ସ୍ୱଭାବେ ଅନଳ            ସର୍ବଗ୍ରାସୀ ପୂଣି

ପାଇଣ ଘୃତ ଅଶନ,

ଆଘାତିତ ସର୍ପ            ପ୍ରାୟେ ଗର୍ଜିଉଠି

ହେଲା ବେଗେ ଊର୍ଦ୍ଧ୍ୱ ଫଣ ।

ମନ୍ଦାର-ସିନ୍ଦୂର-            ବର୍ଣ୍ଣଜିତ ଜିହ୍ୱା

ଲହଲହି ଚିତାନଳ,

ମୃହୂର୍ତ୍ତ ମଧ୍ୟରେ            ଭସ୍ମସାତ କଲା

ସେ ଜାୟାପତି ଯୁଗଳ ।

ଘଡ଼ିକ ପୂର୍ବରେ            ବପୁଷ୍ମନ୍ତ ଯେହୁ

ଥିଲା ବା ଜାଣି କିଏ ସେ,

ପରିଣତ ହେବ            ଏଡ଼େ ବେଗେ ସେହୁ

ମୁଠାଏ ପାଉଁଶେ ଶେଷେ ।

କାହିଁ ଶଶିପ୍ରଭା            କାହିଁ ପୀତାମ୍ବର

କାହିଁ କେହି କେଣେ ନାହିଁ,

କ୍ଷଣକ ମଧ୍ୟରେ            ଇନ୍ଦ୍ରଜାଲ ପ୍ରାୟ

ଗଲେ ସେ କାହିଁ ମିଳାଇ ।

ଦେଖଣାହାରୀଏ              ଦଳ ଦଳ ହୋଇ

ବାହୁଡ଼ିଲେ ଗୃହ ମୁଖେ ।

ଯାତ୍ରା ଭାଙ୍ଗିଗଲେ            ଯାତ୍ରାକାଳି ଯଥା

ବାହୁଡ଼ନ୍ତି ମନୋଦୁଃଖେ।

ଚାଲିଛନ୍ତି ସର୍ବେ            କହି କହି କଥା

ହୃଦୟରେ ବହି ବ୍ୟଥା,

ସତୀ, ସତୀପତି            କଥା ଛାଡ଼ି ନାହିଁ

କାହା ମୁଖେ ଆନ କଥା ।

କେହି କହେ ଧନ୍ୟ            ଧନ୍ୟ ସେ ଦମ୍ପତି

ନରକୁଳ–ଅଳଙ୍କାର,

ତାଙ୍କ ପରି ଆଉ            ଆକସ୍ମିକ ମୃତ୍ୟୁ

ଘଟିବ ଭାଗ୍ୟେ କାହାର ।

କେହି କହେ ଶାପ-       ଭ୍ରଷ୍ଟ ଦେବତା ସେ

ଜନ୍ମିଥିଲେ ମହୀଦେଶେ,

ଦେହ ଛାଡ଼ି ସ୍ୱର୍ଗେ            ଚାଲିଗଲେ ବେନି

ଅଭିଶାପ ଭୋଗ ଶେଷେ ।

କେହି ଅବା କହେ              ସେ ବେନିଙ୍କ ଧର୍ମୁ

ନିରାପଦେ ଥିଲା ଗ୍ରାମ,

ଯେତେ ଦିନ ଯାଏଁ             ଜୀଇଥିବା ସର୍ବେ

ଘୋଷୁଥିବା ତାଙ୍କ ନାମ ।

କେହି କହେ ତାଙ୍କ            ସଦ୍ଗୁଣ ସୁମରି

ଦୁଃଖେ ଫାଟିଯାଏ ଛାତି,

କର୍ମମୂଲ୍ୟେ ନର            କିଣଇ ଏପରି

ଜୀବନ୍ତେ ମୃତେ ସୁଖ୍ୟାତି ।

ଶବଦାହ କ୍ରିୟା            ସରିଲା ବେଳକୁ

ପାହି ଆସିଥିଲା ନିଶି,

ପ୍ରାଚୀ-ମଥାମଣି            ପ୍ରଭାତୀ ତାରକା

ଆସିଲା ମଳିନ ଦିଶି ।

ନଭେ କପାଖେତ            କୋଡ଼ିଲା ପରାଏ

ଲାଗିଅଛି ଜଳଧର,

ସ୍ୱର୍ଗଙ୍ଗା ବନ୍ୟା କି            ଛାଡ଼ିଯାଇ ଦିଶେ

ବନ୍ଧୁର ବାଲୁକାସ୍ତର ।

ଅବା ବପ୍ର-ପଙ୍କେ            ବସିଯାଇଥିଲା

ସମୁଦ୍ର ଫେନ ବହଳେ,

ଚକଟି ଦେଇ ବା            ଯାଇଛନ୍ତି ତାକୁ

ବେଳାଚାରୀ ମୃଗଦଳେ ।

ମେଘେ ମେଘ ଯୋଡ଼ି      କେତେ ହାତୀ ଘୋଡ଼ା

ସୃଜୁଅଛି ପବମାନ,

କାହିଁ ବୃକ୍ଷ, ଲତା,            ନର, ପକ୍ଷୀ, ନଦୀ

ତଡ଼ାଗ, ଗୃହ, ବିମାନ ।

ପଲକରେ ଉଇଁ            କେଉଁ ଅନୁଦ୍ଦେଶ୍ୟ

ଦେଶେ ଗମନ୍ତି ସକଳେ,

ଭାବିଲେ ଏ ତତ୍ତ୍ୱ            ମିଳେ ନାହିଁ କିଛି

ଭାବନାକୁ ତାହା ବଳେ ।

ଛାଡ଼ି ଛାଡ଼ି ଯାଏ            ଅନ୍ଧାର, ପଡ଼ଇ

ପାଦପ ପତ୍ରୁ ତୁଷାର,

କନ୍ଦି କାନ୍ଦି ରାତ୍ରି            ପଳାଉଛନ୍ତି କି

ହରାଇ ସ୍ୱ-ଅଧିକାର ।

ନିଶା ଅବସାନ            ଜାଣି ପଲ ପଲ

ସ୍ୱସ୍ଥାନେ ଯାଆନ୍ତି ଉଡ଼ି,

ମୁଖେ ନଖେ ଫଳ            ପୃଷ୍ଠଦେଶେ ପୁଣି

ଶାବକେ ଧରି ବାଦୁଡ଼ି ।

ଏହି କାଳେ ସିଞ୍ଚି            ଗଙ୍ଗୋଦକ ସମ

ସାଳନ୍ଦୀ ଶୀତଳ ଜଳ,

ଶବଦାହୀ ବିପ୍ରେ            ଅନନ୍ତଙ୍କ ସଙ୍ଗେ

ନିଭାଇଲେ ଚିତାଳନ ।

ବାହୁଡ଼ିଲେ ଘେନି            ସକଳେ ଅନନ୍ତେ

ଶୋକରେ ନୁଆଇଁ ମଥା,

ବିସର୍ଜନ ଅନ୍ତେ            ଜଳଶାୟୀ କରି

ପ୍ରତିମା ପୂଜକ ଯଥା ।

ଅଦ୍ୟାପି ବିରାଜେ            ସେହି ଚିତାକୁଣ୍ଡ

ନଦୀତୀରେ ଆମ୍ରବନେ,

ସେହି ଦିନୁ ତାକୁ            ସତୀକୁଣ୍ଡ ବୋଲି

କହନ୍ତି ସକଳ ଜନେ ।